କନକ ବ୍ୟୁରୋ: କେମିତି ହେଲା ବ୍ୟବସାୟୀଙ୍କ ମୃତ୍ୟୁ? ଯଦି ହତ୍ୟା ତେବେ ହତ୍ୟା ପଛରେ କିଏ? ଭୁବନେଶ୍ୱର ଉପକଣ୍ଠ ବାଲି୍ଅନ୍ତା ଥାନା ସାଗୁଆ ଗାଁରେ କମ୍ବଳ ତଳେ ମିଳିଛି ବ୍ୟବସାୟୀ ବିଶ୍ୱଜିତ ନାୟକଙ୍କ ମୃତ । କୁହାଯାଉଛି ଘରେ ଥିବା ମହିଳା, ବିଶ୍ୱଜିତଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଛନ୍ତି । ସେ ତାଙ୍କ ସ୍ତ୍ରୀ ନା କେୟାରଟେକର ସେ ନେଇ କୌଣସି ସ୍ପଷ୍ଟତା ଆସିନାହିଁ । ତେବେ ହତ୍ୟା ପଛରେ ମହିଳାଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

Advertisment
  • କମ୍ବଳ ତଳେ ବ୍ୟବସାୟୀଙ୍କ ଶବ
  • ସନ୍ଦିଗ୍ଧ ମହିଳାଙ୍କୁ ନେଇ ସସପେନ୍ସ!

ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା । ମୁହଁ ସାରା କ୍ଷତ ଚିହ୍ନ । ଅପରାଧୀମାନେ ଏଭଳି ନୃଶଂସ ଭାବେ ହତ୍ୟା କରିଛନ୍ତି, ଯେ ମୃତଦେହକୁ ଚିହ୍ନଟ କରିବା ବଡ କଷ୍ଟକର ହୋଇ ପଡିଛି । ହତ୍ୟା କରି ସାରିବା ପରେ, ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି । ମୁଣ୍ଡରୁ ଆଣ୍ଠୁ ପର୍ଯ୍ୟନ୍ତ କମ୍ବଳ ଘୋଡାଇ ଦିଆଯାଇଛି । ଦେଖିଲେ ଲାଗିବ ଜଣେ କେହି ଖଟ ଉପରେ ନିଦରେ ଶୋଇଛନ୍ତି ।

ଏହି ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲି୍ଅନ୍ତା ଥାନା ସାଗୁଆ ଗାଁରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବିଶ୍ୱଜିତ ନାୟକ ଏବଂ ବୟସ ପାଖାପାଖି ୪୩ ବର୍ଷ । ତାଙ୍କର ଛୋଟ ହୋଟେଲ ରହିଛି । ଦେଢ ବର୍ଷ ତଳେ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ପୁଅକୁ ହଷ୍ଟେଲ ପଠାଇବା ପରେ ଘରେ ଏକାକି ରହୁଥିଲେ । ପ୍ରାୟ ୬ ମାସ ହେବ ଜଣେ ମହିଳା ବିଶ୍ୱଜିତଙ୍କ ଘରେ ରହି ଆସୁଥିଲେ । ଗତ ଶୁକ୍ରବାର ଦିନ ବିଶ୍ୱଜିତ ଓ ଉକ୍ତ ମହିଳାଙ୍କୁ ଶେଷଥର ପାଇଁ ଦେଖିଥିଲେ ଗାଁ ଲୋକ । କୁହାଯାଉଛି, ହତ୍ୟାକାଣ୍ଡ ପରଠାରୁ ସଂପୃକ୍ତ ମହିଳାଙ୍କୁ ଆଉ ଦେଖିବା ପାଇଁ ମିଳୁନି ।

ଅନ୍ୟପଟେ ସାଇଣ୍ଟିଫିକ ଟିମ, ଡଗ ସ୍କ୍ୱାର୍ଡକୁ ନେଇ ସରଜମିନ ତଦନ୍ତ ଆରମ୍ଭ କରିଛି ବାଲିଅନ୍ତା ପୁଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କ୍ରାଇମ ସିନ୍ର ଫିଙ୍ଗରପ୍ରିଂଟ ଓ ରକ୍ତ ନମୁନା ସଂଗ୍ରହ କରିଛି । ପ୍ରାଥମିକ ଅନୁସନ୍ଧାନ କହୁଛି ମୃତ ବିଶ୍ୱଜିତ ଜଣେ ସୁସ୍ଥ-ସବଳ ବ୍ୟକ୍ତି ଥିଲେ ଏହାସହ କରାଟେ ମଧ୍ୟ ଶିଖିଥିଲେ । ଜଣେ ବ୍ୟକ୍ତି ବିଶ୍ୱଜିତଙ୍କୁ ହତ୍ୟା କରିବା ସହଜ ନୁହେଁ । ତେଣୁ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ହାତ ରହିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି । କିମ୍ବା ଖାଦ୍ୟରେ ନିଶା ଦେଇ ଅଚେତ କରିବା ପରେ, ମୁହଁକୁ କୌଣସି କାଠ ଫାଳିଆ ବା ପଟାରେ ପିଟିପିଟି ହତ୍ୟା କରାଯାଉଥିବା ଅନୁମାନ କରାଯାଉଛି । ତେବେ ବ୍ୟବସାୟୀଙ୍କ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ ।

  • ବିଶ୍ୱଜିତଙ୍କ ସହ ରହୁଥିବା ମହିଳା କିଏ?
  • ହତ୍ୟାକାଣ୍ଡ ସହିତ ମହିଳାଙ୍କ ସଂପର୍କ ରହିଛି କି?
  • ବିଶ୍ୱଜିତଙ୍କ ମୃତ୍ୟୁପରେ କାହିଁକି ସେ ଉଭାନ ହୋଇଗଲେ?
  • ଗେଟ୍ ହ୍ୟାଣ୍ଡେଲରେ ଲାଗିଛି କାହାର ଫିଙ୍ଗର ପ୍ରିଣ୍ଟ?