କେନ୍ଦ୍ରାପଡ଼ା ମହିଳାଙ୍କୁ ଆତ୍ମନିର୍ଭର କରୁଛି ଧୂପକାଠି ଓ ଫିନାଇଲ ବ୍ୟବସାୟ । କଟକରୁ କଂଚାମାଲ ଆଣି ଗାଁରେ ପ୍ରସ୍ତୁତ କରୁଛନ୍ତି ସୁଗନ୍ଧିତ ଧୂପ
କନକ ବ୍ୟୁରୋ : ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଧୂପକାଠି ଓ ଫିନାଇଲ ବ୍ୟବସାୟ । ବଳକା ସମୟକୁ ଅପବ୍ୟୟ ନକରି ଧୂପକାଠି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି କେନ୍ଦ୍ରାପଡ଼ା ସାନତେରଗାଁର ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ଗୋଷ୍ଠୀର ୧୨ ଜଣ ସଦସ୍ୟା ଧୂପକାଠି ଓ ଫିନାଇଲ ପ୍ରସ୍ତୁତ ପାଇଁ ତାଲିମ ନେବା ପରେ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ସୁଗନ୍ଧିତ ଧୂପକାଠି । ଉତ୍ପାଦିତ ସାମଗ୍ରୀକୁ ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରି ପାଉଛନ୍ତି ଲକ୍ଷାଧିକ ଟଙ୍କା । ଏଥିପାଇଁ ଆବଶ୍ୟକ ହେଉଥିବା କଂଚାମାଲ ଓ ମେସିନ୍ ବାବଦକୁ ୨ଲକ୍ଷ ଟଙ୍କା ବିନିଯୋଗ କରି ଲାଭବାନ ମଧ୍ୟ ହେଉଛନ୍ତି । ଅର୍ଡର ମୁତାବିକ ସାମଗ୍ରୀ ପ୍ରସ୍ତୁତ କରିବା ପରେ ବ୍ୟବସାୟୀ ମାନେ ମହିଳା ମାନଙ୍କ ଠାରୁ କିଣି ନେଉଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସାମଗ୍ରୀ ପ୍ରସ୍ତୁତି ପାଇଁ ଆବଶ୍ୟକ କଂଚାମାଲ କଟକରୁ ଆସୁଥିବା ବେଳେ ବିଭିନ୍ନ ପ୍ରକାରର ସୁଗନ୍ଧିତ ଧୁପକାଠି ଏବଂ ଫିନାଇଲ୍ ପ୍ରସ୍ତୁତ ହେଉଛି । ଝୁଣା ଧୁପ, ଜିପରଜରି, ଜିପର ହାର ଏବଂ ବଳିତା ଭଳି ଧୁପ କାଠି ତିଆରି ମାର୍କେଟକୁ ଯୋଗାଣ ହେଉଛି । ସେହିପରି ଧଳା ଫିନାଇଲ ଓ କଳା ଫିନାଇଲ ପ୍ରସ୍ତୁତ କରି ସ୍ଥାନୀୟ ବଜାରକୁ ରପ୍ତାନି କରୁଛନ୍ତି । ଉତ୍ପାଦିତ ସାମଗ୍ରୀ ସବୁ ବିକ୍ରୟ କରି ସମସ୍ତ ଖର୍ଚ୍ଚ ପରେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର ହେଉଥିବା କୁହନ୍ତି ଗୋଷ୍ଠୀର ସଦସ୍ୟା । ଅଧିକରୁ ଅଧିକ ସାମଗ୍ରୀ ପ୍ରସ୍ତୁତ ପାଇଁ ବିଭିନ୍ନ ମେସିନର ଆବଶ୍ୟକତା ଥିବା ବେଳେ ଅର୍ଥଅଭାବରୁ ବ୍ୟବସାୟ ଆଗକୁ ପଢାଇ ପାରୁନଥିବା କହିଛନ୍ତି ମହିଳା ।
ଫିନାଇଲ ଓ ଧୂପକାଠି ଲୋକଙ୍କ ଆତି ଆବଶ୍ୟକ ଜିନିଷ ହୋଇଥିବା ବେଳେ ବଜାରରେ ଏହାର ଚାହିଦା ସବୁବେଳେ ରହିଛି । ଲୋକଙ୍କ ଚାହିଦା ମୁତାବିକ ମହିଳା ମାନେ ମଧ୍ୟ ସେମାନଙ୍କ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ନିଜ ଅଂଚଳ ସହ ବାହାର ଜିଲ୍ଲାରେ ମଧ୍ୟ ପହଂଚିପାରୁଛି ମହିଳା ମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ । ଯାହା ଅନ୍ୟ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା ।