କନକ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପାଇଁ ବଡ଼ଦଣ୍ଡରେ ଜନସମୁଦ୍ର । କାଳିଆକୁ ଦେଖିବା ପାଇଁ କାହିଁ କେତ ଦୂରରୁ ଧାଇଁ ଆସିଛନ୍ତି ଭକ୍ତ । ଆଉ ଲୋକ ଯେଉଁଠି, ବ୍ୟବସାୟ ବି ସେଇଠି । ଜଗାର ଯାତ୍ରା ଦେଖିବାକୁ ଆସିଥିବା ଲୋକମାନେ ମଧ୍ୟ କେହି ଖାଲି ହାତରେ ଫେରୁନାହାନ୍ତି । ଲୋକଙ୍କ ଭିଡ଼କୁ ନଜରରେ ରଖି ବଡ଼ ଦାଣ୍ଡରେ ପସରା ମେଲାଇ ବସିଥିବା ବୁଲା ବେପାରିଙ୍କ ଠାରୁ ଜିନିଷପତ୍ର କିଣୁଛନ୍ତି । ଆଉ ବଡ଼ ଦାଣ୍ଡରେ ଜମୁଛି ବୁଲା ବେପାରିଙ୍କ ବ୍ୟବସାୟ । କିଏ ବଂଇସି ବିକ୍ରି କରୁଛି ତ ପୁଣି କିଏ ସିନ୍ଦୁର ବିକ୍ରି କରୁଛନ୍ତି । ତେବେ ବିହାରରୁ ଆସିଥିବା ଜଣେ ବଇଂଶି ବିକାଳି କୁହନ୍ତି ବଇଂସି ବିକିଲେ ତାଙ୍କ ପରିବାର  ଚଳିଥାଏ । ପାଞ୍ଚ- ଛଅ ବର୍ଷ ହେଲା ସେ ବଡ଼ଦାଣ୍ଡରେ ବିଂଇସି ବିକ୍ରି କରୁଛନ୍ତି । ସେହିଭଳି ଜଣେ ସିନ୍ଦୁର ବିକାଳି କୁହନ୍ତି ତାଙ୍କ ଦୋକାନର ସିନ୍ଦୁର ଜଗନ୍ନାଥଙ୍କ ଆଶିର୍ବାଦ । ହଜାର ହଜାର ମା’ଙ୍କ ମଥାରେ ଲାଗୁଛି ତାଙ୍କ ସିନ୍ଦୁର ।

Advertisment

ତିନି ରଥ ସିଂହଦ୍ବାର ଆଗରୁ ଗୁଣ୍ଡିଚା ମନ୍ଦିର ଆଡ଼କୁ ଗଡ଼ିଯିବା ପରେ ବଡ଼ଦାଣ୍ଡରେ ପ ସରା ମେଲାଇ ବସିଛନ୍ତି ବୁଲା ବେପାରି । କିଏ ଜଗନ୍ନାଥଙ୍କ ଫଟୋ ବିକ୍ରି କରୁଛନ୍ତି ତ ପୁଣି କିଏ ମାଳି ପାଟ ଫୁଲି ବିକ୍ରି କରୁଛି । ପୁଣି କିଏ ସଞ୍ଜ ବଳିତା ବିକି ପେଟ ପୋଷୁଛି । ତେବେ ସଞ୍ଜ ବଳିତା ବିକ୍ରି କରୁଥିବା ବୁଢ଼ି ମାଉସୀ କୁହନ୍ତି, ସଞ୍ଜବଳିତା ବିକ୍ରି କଲେ ସେ ଘର ଭଡ଼ ଦିଅନ୍ତି । ସେହିପରି ଶ୍ରୀକ୍ଷେତ୍ରର ଅନ୍ୟ ଏକ ସୁସ୍ବାଦୁ ଖାଦ୍ୟ ହେଉଛି ଟଙ୍କ ତୋରାଣୀ । ବଡ଼ ଦାଣ୍ଡରେ ଟଙ୍କ ତୋରାଣି ବିକିଲେ ତାଙ୍କ ସଂସାର ଚଳେ ବୋଲି କୁହନ୍ତି ବ୍ୟବସାୟୀ । କୁହାଯାଏ ଜଗା ପାଖକୁ ଯିଏ ଆସିଛି ତା’ର ଅଭାବ ବୋଲି କିଛି ରହେନାହିଁ । ଆଉ ସେ ଆଶାରେ ବର୍ଷକୁ ଥରେ ପଡୁଥିବା ଏହି ଯାତ୍ରାରେ ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି ବ୍ୟବସାୟୀ ।