ପ୍ରତିଶୋଧ ନେବାକୁ ଘର ଆଗରେ ଜଗିଛି ଷଣ୍ଢ! ଭୟରେ ଘର ଛାଡି ସମ୍ପର୍କୀୟଙ୍କ ଘରେ ରହୁଛନ୍ତି ପରିବାର

530

କନକ ବ୍ୟୁରୋ: ମଣିଷ ଭଳି ପଶୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଥେନ୍ଟେଇପୋଷ ଗ୍ରାମରେ । ଗ୍ରାମର ଡମ୍ବରୁ ମହାନ୍ତ, ସୁବାଷ ମହାନ୍ତ ଓ ଦେବରାଜ ମହାନ୍ତ ତିନୋଟି ପରିବାର ଥେନ୍ଟେଇପୋଷ ଗାଁ ର ବାଦାମବାଡ଼ି ବସ୍ତି ର ବାସିନ୍ଦା । ଆଜିକୁ ଆଠଦିନ ତଳେ ଡମ୍ବରୁ ତାଙ୍କ ଘର ଅଗଣାକୁ ଏକ ହୃଷ୍ଟପୃଷ୍ଟ ବୁଲା ଷଣ୍ଢ ପଶି ଆସିବା ଦେଖି ତାକୁ ଟେକା ପଥର ମାରି ଘଉଡାଇ ଦେଇଥିଲା ।

ହେଲେ ସେହି ଦିନ ଠାରୁ ଷଣ୍ଢ ଟି ପ୍ରତିଶୋଧ ନେବା ଆରମ୍ଭ କଲା । ଘଟଣା ଏଭଳି ହେଲା ଯେ ସେ ବସ୍ତିରେ ରହୁଥିବା ତିନୋଟି ପରିବାର ଙ୍କୁ ଟାର୍ଗେଟରେ ରଖି ଦିନରାତି ଷଣ୍ଢ ଟି ଜଗିରହିଛି । ଘରୁ ବାହାରିବା ଅସମ୍ଭବ ହେବା ପରେ ଏ ତିନି ପରିବାର ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ । ଗ୍ରାମବାସୀ ଦୁଇଥର ଷଣ୍ଢ କୁ ଦୂର ସ୍ଥାନ କୁ ଘଉଡାଇବା ପରେ ମଧ୍ୟ ସେହି ସ୍ଥାନ କୁ ଷଣ୍ଢଟି ଫେରି ପୁଣି ଜଗିରହିଥିବା ଦେଖା ଯାଇଛି ଓ ଭୟଭୀତ ତିନି ପରିବାର ଏବେ ଘର ଛାଡି ନିଜ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ।

 କେବଳ ସେତିକି ନୁହେଁ କାଳେ କିଛି ଭାଗବାନ ଙ୍କ କୋପ ହୋଇଥାଇପାରେ ଭାବି ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରୁଥିଲେ ହେଁ ଏହାର ସୁଫଳ ପାଇପାରି ନାହାନ୍ତି । ଆଜି ସେମାନଙ୍କ ଠାରୁ ଖବର ପାଇ ଗାଁ କୁ ଯିବା ପରେ ତିନି ପରିବାର ଲୋକ ଆମ ସହ ବାଦାମବାଡ଼ି ସ୍ଥିତ ଘରକୁ ଗଲା ପରେ ବହୁ ଦୂରରେ ଅନୁଧ୍ୟାନ କରୁଥିବା ଷଣ୍ଢ ଘର ସମ୍ମୁଖ କୁ ଆସି ପୁଣି ଜଗିରହିବା ସ୍ପଷ୍ଟ ଦେଖାଯାଇଥିଲା । କାହାକୁ କହିବେ କେତେଦିନ ଛୋଟ ଛୁଆଙ୍କୁ ନେଇ ପର ଘରେ ଆଶ୍ରୟ ନେବେ ସେଥିନେଇ ସନ୍ଦିହାନ ତିନି ପରିବାର ଏବେ ପ୍ରଶାସନର ଦ୍ୱାରସ୍ଥ ହେବା ପାଇଁ ମନସ୍ଥ କରିଛନ୍ତି ।