୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ ୩୦୦ କୋଟି ଟଙ୍କା : ଅର୍ଥ ସବକମିଟି ବୈଠକରେ ବ୍ୟୟ ବରାଦକୁ ମଞ୍ଜୁରୀ

74

କନକ ବ୍ୟୁରୋ : ଶ୍ରୀମନ୍ଦିର ସବ କମିଟି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆୟ ଓ ବ୍ୟୟ ବାବଦରେ ବିସ୍ତୃତ ଚର୍ଚ୍ଚା କରାଯାଇଛି । ଚଳିତ ବର୍ଷ ୩ଶହ କୋଟି ଟଙ୍କାର ବଜେଟକୁ ବୈଠକରେ ମଞ୍ଜୁର କରାଯାଇଛି । ଏଥିରେ ରାଜ୍ୟ ଓ ପୁଞ୍ଜି ଆୟର ପରିମାଣ ୩ଶହ ୭୯ କୋଟି ଥିଲା ବେଳେ ବ୍ୟୟ ପରିମାଣ ୨୬୨ ଦଶମିକ ୪୯ କୋଟି ଟଙ୍କା । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୮୭ ଦଶମିକ ୭୩ କୋଟି ଓ ପୁଞ୍ଜି ଆୟ ବାବଦକୁ ୧୧୩ ଦଶମିକ ୦୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।

ସେହିପରି ରାଜସ୍ୱ ଖର୍ଚ୍ଚ ୧୪୩ .୩୪ କୋଟି ଓ ପୁଞ୍ଜି ଖର୍ଚ୍ଚ ବାବଦକୁ ୧୧୯ ଦଶମିକ ୧୫ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଆୟ ଓ ବ୍ୟୟ ପରିମାଣ ପ୍ରାୟ ସମାନ ରହିଥାଏ । କିିନ୍ତୁ ଚଳିତ ବର୍ଷ ବ୍ୟୟଠାରୁ ଆୟର ପରିମାଣ ୩୮ ଦଶମିକ ୩୦ କୋଟି ଟଙ୍କା ବଳକା ରହିଛି । କେବଳ ଶ୍ରୀମନ୍ଦିର ପରିଚାଳନା କମିଟିରେ ଚୁଡାନ୍ତ ମୋହର ବାଜିବାକୁ ବାକି ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରିମ ଯାଦବ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ନିଅଂଟ ପଡୁଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବୈଠକ ରାଜ୍ୟ ମୁଖ୍ୟ ସଚିବ, ଆଇନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଆୟୋଜିତ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।