କନକ ବ୍ୟୁରୋ : ଖର୍ଚ୍ଚ ହୋଇପାରୁନି ମୂଳ ବଜେଟରେ ଆକଳନ ହୋଇଥିବା ଅର୍ଥ ରାଶି । କିନ୍ତୁ ସେହି ବିଭାଗକୁ ଅତିରିକ୍ତ ବଜେଟରେ ପୁଣି ଯୋଗାଇ ଦିଆଯାଉଛି ଅଧିକ ପାଣ୍ଠି । ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ(ସିଏଜି)ଙ୍କ ରିପୋର୍ଟରୁ ରାଜ୍ୟ ସରକାରଙ୍କ ଏପରି ବଜେଟ୍ ପରିଚାଳନା ସମ୍ପର୍କରେ ଜଣାପଡିଛି ।

Advertisment

ସିଏଜିଙ୍କ ଅଡିଟ୍ ରିପୋର୍ଟ ଅନୁଯାୟୀ, ଅତିରିକ୍ତ ବଜେଟ ପରିମାଣକୁ ମିଶାଇ ୨୦୨୦-୨୧ରେ ଖର୍ଚ୍ଚ ପାଇଁ ମଞ୍ଜୁର ହୋଇଥିବା ୧ ଲକ୍ଷ ୨୪ ହଜାର କୋଟି ଟଙ୍କାରୁ ୮୦ ହଜାର ୫ ଶହ ୫୫ କୋଟି ଖର୍ଚ୍ଚ ହୋଇଥିବା ବେଳେ ୪୩ ହଜାର କୋଟି ଟଙ୍କା ବଳିପଡିଛି । କହିବାକୁ ଗଲେ ବଜେଟର ୬୫ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ବାକି ୩୫ ପ୍ରତିଶତ ବଳିପଡିଛି । ଜଳ ସମ୍ପଦ ବିଭାଗ, ବିପର୍ଯ୍ୟୟ ପରିଚାଳନା, କୃଷି, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅର୍ଥ ରାଶି ଖର୍ଚ୍ଚ କରିପାରିନାହାଁନ୍ତି । ଏପରିକି ୧୨ଟି ଯୋଜନାରେ ଖର୍ଚ୍ଚ ପାଇଁ ଦିଆଯାଇଥିବା ୧୮ ଶହ ୩୪ କୋଟିର ଅର୍ଥରାଶିରୁ କୌଣସି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ସବୁଠୁ ବଡ଼ କଥା ହେଉଛି, କିଛି ବିଭାଗ ବାଉଳା ହୋଇ ଅଧିକ ଟଙ୍କାର ଅର୍ଥ ରାଶି ଫେରାଇ ଦେଇଛନ୍ତି । ପଂଚାୟତରାଜ ବିଭାଗର ୩୧ ଶହ ୪୯ କୋଟି ବଳିଥିବା ବେଳେ ବିଭାଗ ୩୪ ଶହ ୮୧ କୋଟି ଟଙ୍କା ଫେରାଇଛି । ଏପରି ସ୍ଥଳେ ୩୦ଟି କ୍ଷେତ୍ରରେ ସରକାର ଜାରି କରିଥିବା ୫ ହଜାର ୫ଶହ ୩ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ସମ୍ପୁର୍ଣ୍ଣ ଅନାବଶ୍ୟକ ଥିବା ସିଏଜି କହିଛନ୍ତି । ଅର୍ଥ ବିଭାଗର ନିୟମ କହୁଛି ଖର୍ଚ୍ଚ କରିବାର ସମ୍ଭାବନା ନ ଥିଲେ ଫେବୃଆରୀ ୨୬ ତାରିଖ ସୁଦ୍ଧା ଏହି ଅର୍ଥ ରାଶି ବିଭାଗକୁ ଫେରାଇଦେବେ । କିନ୍ତୁ ଆର୍ଥିକ ବର୍ଷର ଶେଷ ତାରିଖ ଅବା ମାର୍ଚ୍ଚ ୩୧ ତାରିଖରେ ୩୨ ହଜାର ୫ ଶହ ୫୬ କୋଟି ଟଙ୍କା ଫେରାଯାଇଥିଲା । ବାକି ୧୦ ହଜାର ୯୯୭ କୋଟି ଟଙ୍କା ଫେରାଯାଇନାହିଁ ।