କନକ ବ୍ୟୁରୋ: ଚାକିରି ଖଣ୍ଡେ ପାଇବା ଆଜିକାଲି ବେକାର ଯୁବକ-ଯୁବତୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଉ ଏହାର ସୁଯୋଗ ନେଇ ଠକୁଛନ୍ତି କିଛି ଦଲାଲ । ବିଭିନ୍ନ କ୍ଷେତ୍ରରେ ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟ୍ କରୁଛନ୍ତି । ସେମିତି ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ରଙ୍ଗମାଟିଆ ଅଂଚଳରେ ରହୁଥିବା ଯୁବକ ମନୋରଞ୍ଜନ ଜେନା । ଏନେଇ ସେ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତିି । ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କୁ ରେଲୱେରେ ଚାକିରି କରାଇ ଦେବାକୁ କହି, ଭାରତୀୟ ପୋଲିସ୍ ପ୍ରୋଟେକ୍ସନ ଫୋର୍ସ ନାମକ ସଂସ୍ଥାର ମାଲିକ ଟଙ୍କା ନେଇଥିଲେ । ସମସ୍ତ କାଗଜପତ୍ର ନେଇଥିଲେ । ହେଲେ, ତାଙ୍କୁ ଚାକିରି ମିଳିନଥିଲା, ମିଳିଥିଲା ଧମକ ।

Advertisment

ଚାକିରି ଦେବାକୁ କହି ଟଙ୍କା ନେବା ପରେ ଓ ପଚାରିବାରୁ ଏମିତି ଧମକ ମିଳିବା ପରେ ମନୋରଞ୍ଜନ ଭୟଭୀତ ହୋଇପଡିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମଂଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ତାଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ସଂସ୍ଥାର ମାଲିକ ।

ପ୍ରଶ୍ନ ଉଠୁଛି, ଚାକିରି ଦେବାକୁ କହି ବେକାର ଯୁବକ-ଯୁବତୀଙ୍କୁ ଠକୁଥିବା ଏଭଳି ସଂସ୍ଥାକୁ ଅନୁମତି ଦେଇଛି କିଏ? ଏହି ସଂସ୍ଥା ଦ୍ୱାରା କେବଳ ମନୋରଞ୍ଜନ ନା ଆଉ କେତେ ଜଣ ଠକାମିର ଶିକାର ହୋଇଛନ୍ତି? ରାଜଧାନୀର ଛାତି ଉପରେ ଏମିତି ଠକେଇ କରୁଥିଲେ ବି କେମିତି ଜାଣିପାରୁନି କମିଶନରେଟ୍ ପୋଲିସ?