ଚାଷୀଙ୍କ କାମରେ ଆସୁନି ବ୍ରିଟିଶ ଅମଳର କେନାଲ: ମରାମତି ଅଭାବରୁ ତଳମୁଣ୍ଡରେ ପହଂଚି ପାରୁନି ପାଣି

77

କନକ ବ୍ୟୁରୋ: ନିର୍ବାହୀ ଯନ୍ତ୍ରୀ ବାବୁଙ୍କ କାର୍ଯ୍ୟାଳୟ ଚକାଚକ୍ । ଚାଷୀଙ୍କ କାମରେ ଆସୁନି ବ୍ରିଟିଶ ଅମଳର କେନାଲ । ଚାଷୀଙ୍କ କାମରେ ସିନା ଆସୁନି କିନ୍ତୁ କେନାଲ ମରାମତି ଓ ଦଳ ସଫେଇ ନାଁରେ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି ଯନ୍ତ୍ରୀ, ଠିକାଦାରଙ୍କ ଅସାଧୁ ମେଂଟ । ଯାହାର ଭିଜିଲାନ୍ସ ତଦନ୍ତ ଦାବି ହେଉଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବନୀ ଦେଇଛନ୍ତି ଗଡମଧୁପୁର ରାଣୀ ।

ଯାଜପୁର ଜିଲ୍ଲା ଜାରକା ଜଳ ସେଚନ ଡିଭିଜନ ଅଧିନରେ ରହିଛି ଏହି ହାଇଲେବୁଲ କେନାଲ । କୁହାଯାଏ, ବ୍ରିଟିଶ ଅମଳରେ ଏହି କେନାଲ ହେବାରୁ ବ୍ୟବସାୟ ବାଣିଜ୍ୟ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଜଳପଥରେ ପରିବହନ କରି ବ୍ୟବସାୟ ବୃଦ୍ଧି ପାଉଥିଲା । ହେଲେ ଏବେ କେନାଲ ସ୍ଥିତି ବେହାଲ ହୋଇଯାଇଛି । ମୁଖ୍ୟ କେନାଲରୁ ଶାଖା କେନାଲ ଦେଇ ପାଣି ତଳ ମୁଣ୍ଡକୁ ଯାଇପାରୁନାହିଁ, ଫଳରେ ଚାଷ ସମୟରେ ପାଣି ପାଇଁ ଚାଷୀଙ୍କୁ ହତାଶ ହେବାକୁ ପଡୁଛି ।

କେନାଲ ଦେଇ ଚାଷୀଙ୍କ ଜମିରେ ପାଣି ମାଡୁନି, କିନ୍ତୁ କେନାଲ ମରାମତି ନାଁରେ ପାଣି ଭଳି ଟଙ୍କା ଖର୍ଚ ହେଉଛି । କଟକ ଜଗତପୁରରୁ ବାହାରି ଜେନାପୁର ନିକଟରେ ମିଶିଥିବା ୪୦ କିଲୋମିଟର ଲମ୍ବ କେନାଲ ଖନନ ଓ ପ୍ରଶସ୍ତିକରଣ ପାଇଁ ନାବାର୍ଡ ସହାୟତାରେ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତିବର୍ଷ ଛୋଟ ଛୋଟ ଶାଖା କେନାଲ ଗୁଡିକର ମରାମତି ପାଇଁ ପାଣି ପଂଚାୟତ ମାଧ୍ୟମରେ କୋଟି କୋଟି ହରିଲୁଟ କରାଯାଉଛି । ୨୦୨୧, ଅଗଷ୍ଟ ମାସରେ କେନାଲରୁ ଦଳ ସଫେଇ ନାଁରେ ୨ ଜଣ ଠିକାଦାର ୨୦ଲକ୍ଷରୁ ଅଧିକ ଟଙ୍କା ହଡପ! କରିଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଚାଷୀ । ଅନ୍ୟପଟରେ ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗଡମଧୁପୁରର ରାଣୀ ଅପର୍ଣା ଧିରସିଂ ଚେତାବନୀ ଦେଇଛନ୍ତି ।