ସୁନା ଗହଣା ଧରି ଚମ୍ପଟ ମାରିଲା ନୂଆବୋହୂ । ସେପଟେ ବୋହୂକୁ କିନ୍ନର ସନ୍ଦେହ କଲେ ଶାଶୁଘର ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନାରେ ଦୁଇଟି ଭିନ୍ନ ଭିନ୍ନ ଅଭିଯୋଗ

475

କନକ ବ୍ୟୁରୋ: କୁହାଯାଏ ବାହାଘରର ସମ୍ପର୍କ ଭଗବାନ ଗଢିଥାନ୍ତି । ହେଲେ ଯଦି ଏହି ବାହାଘର ପରିବାର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ତା ହେଲେ ସେଠି କଣ କରାଯିବ । ଏମିତି ଏକ ବାହାଘର ବରପକ୍ଷ ପାଇଁ କାଳ ସାଜିଛି । ବିବାହର ୨ ସପ୍ତାହ ପରେ ସ୍ୱାମୀଙ୍କ ସହ ବାପଘର ବୁଲିଯାଇଥିଲେ କନିଆ । ନିଜ ସ୍ୱାମୀଙ୍କୁ ଛାଡି ସବୁ ସୁନାଗହଣା ସହ ମାରିଥିଲେ ଚମ୍ପଟ । ସେହିପରି ଅନ୍ୟ ଏକ ବାହାଘର ଯେଉଁଠି କନିଆ ଜଣେ କିନ୍ନର ହୋଇଥିବା ଅଭିଯୋଗ ହୋଇଛି ।

  • ବାପଘରେ ସ୍ୱାମୀକୁ ବସାଇ ସ୍ତ୍ରୀ ଫେରାର
  • ସୁନା ଧରି ଚମ୍ପଟ ମାରିଲେ ନୂଆବୋହୂ

ବାହାଘରକୁ ଦୁଇ ସପ୍ତାହ ବି ପୂରି ନଥିଲା । ହେଲେ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ଫେରାର୍ । ଏହି ଖବର ଯେତିକି ଚର୍ଚ୍ଚା ସୃଷ୍ଟି କରିଛି ଖବର ପଛର କାହାଣୀକୁ ନେଇ ତା’ଠୁ ଚର୍ଚ୍ଚା ହୋଇଛି । ଅଭିଯୋଗ ଅନୁସାରେ- ବାଲିପାଟଣା ଅଞ୍ଚଳର ଏକ ଦମ୍ପତି ଠାକୁର ଦର୍ଶନ ପାଇଁ ପୁରୀ ଯାଇଥିଲେ । ଜଗନ୍ନାଥ ଦର୍ଶନ ସାରି ଉଭୟେ ବୋହୂଙ୍କ ବାପଘରେ ପହଞ୍ଚିଥିଲେ । ଜ୍ୱାଇଁ ଶ୍ୱଶୂର ଘରେ ବସିଥିବାବେଳେ ଝିଅ ସାହି ବୁଲିବାକୁ ଯାଇ ଆଉ ଫେରିନଥିଲେ । ଜ୍ୱାଇଁ ଘରେ ବସିବସି ରାତି ପାହିଲା ପଛେ ଝିଅ ଫେରିଲା ନାହିଁ । ଫୋନ କଲା ବେଳକୁ ଫୋନ ସ୍ୱିଚଅଫ ହୋଇଯାଇଥିଲା । ଆଉ, ବିଚରା ଜ୍ୱାଇଁ କାମମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି ।

  • ଥାନାରେ ଏତଲା ଦେଲେ ବରପକ୍ଷ
  • ଏତଲାରେ ସାଂଘାତିକ୍ ଅଭିଯୋଗ

ଥାନାରେ ହୋଇଥିବା ଏତଲା ଅନୁସାରେ- ଗତ ୯ ତାରିଖରେ ପୁରୀର ଏକ କଲ୍ୟାଣ ମଣ୍ଡପରେ ଏହି ଦମ୍ପତିଙ୍କ ବିବାହ ହୋଇଥିଲା । ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା । ବରଂ ବରପକ୍ଷ ନିଜ ଆଡୁ ସବୁ ଖର୍ଚ୍ଚ ବହନ କରିଥିଲେ । ଏମିତିକି ବୋହୂ ପାଇଁ ସବୁ ଗହଣା କିଣିଥିଲେ ବରପକ୍ଷ । ବିବାହ ପରେ କିନ୍ତୁ ଚତୁର୍ଥୀ ହୋଇପାରିନଥିଲା । କାରଣ ୧୬ ମଙ୍ଗଳା ପୂର୍ବରୁ ଶାରୀରିକ ସଂପର୍କ ରଖିଲେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ ସ୍ତ୍ରୀ । ହେଲେ ବୋହୂର ଚାଲ ବୁଝିପାରିନଥିଲେ ବରଘର ।

  • ଚର୍ଚ୍ଚାରେ ବାଲିପାଟଣାର ଆଉ ଏକ ଘଟଣା
  • ବୋହୂକୁ କିନ୍ନର ସନ୍ଦେହ କଲେ ଶାଶୁଘର ଲୋକ

ସମାନ ଢ଼ଙ୍ଗରେ ପିଲିଲି ଥାନା ଅଞ୍ଚଳରୁ ଆଉ ଏକ ଅଭିଯୋଗ । ନୂଆ ବୋହୂଙ୍କ କିନ୍ନର ସନ୍ଦେହ, ଥାନରେ ପହଞ୍ଚିଛି ମାମଲା । ଜଣେ ଯୁବକ ପିପିଲି ଥାନା ଅଞ୍ଚଳରେ ଗତ ୨ ତିରାଖରେ ବିବାହ କରିଥିଲେ । ଝିଅଘର ପକ୍ଷରୁ ପସନ୍ଦ ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ପୁଅଘର ପକ୍ଷରୁ ମଧ୍ୟ ଖର୍ଚ୍ଚ କରାଯାଇଥିଲା । ବଡ଼ ଆଡମ୍ବରରେ ବିବାହ ଓ ଭୋଜିଭାତ ହୋଇଥିଲା । ତେବେ ସମାନ ଢଙ୍ଗରେ ଚତୁର୍ଥୀରେ ଶାରୀରିକ ସଂପର୍କ ରଖିବାକୁ ନୂଆବୋହୂ ଅମଙ୍ଗ ହୋଇଥିବା ଅଭିଯୋଗ ହୋଇଛି । ୬ ମାସ ଅପେକ୍ଷା କରିବାକୁ ସ୍ୱାମୀଙ୍କୁ କହିଥିଲେ ସ୍ତ୍ରୀ । ହେଲେ ବୌହୂର ଚାଲିଚଳଣ ଓ ରଙ୍ଗଢଙ୍ଗ ଦେଖି ବରଘରର ସନ୍ଦେହ ହୋଇଥିଲା । ବୋହୂ ପାଖରେ ନାରୀ ସୁଲଭ ଗୁଣ ନଥିବାରୁ ସେମାନେ ତାଙ୍କୁ କିନ୍ନର ବୋଲି ସନ୍ଦେହ କରୁଛନ୍ତି । ଏହାପରେ ବୋହୂ ବାପଘରକୁ ଚାଲି ଯାଇଥିବାବେଳେ ପାଲଟା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି ।