କାହାଣୀ ସେଦିନର, କଥା ଆଜିର…କାର୍ଗିଲ ଯୁଦ୍ଧର କଥା ଆସିଲେ ମନେ ପଡନ୍ତି ପରମବୀର ଚକ୍ର ବିଜେତା ସହିଦ ବିକ୍ରମ ବାତ୍ରା

147

କନକ ବ୍ୟୁରୋ: କାର୍ଗିଲ ଯୁଦ୍ଧର କଥା ଆସିଲେ ମନେପଡେ ଆଉ ଜଣେ ସହିଦଙ୍କ ବୀରତାର ଗାଥା । ସେ ହେଉଛନ୍ତି ଦେଶର ପରମବୀର ଚକ୍ର ବିଜେତା ସହିଦ ବିକ୍ରମ ବାତ୍ରା । ୧୯୯୯ କାର୍ଗିଲ ଯୁଦ୍ଧକୁ ୫ ସପ୍ତାହ ବିତି ସାରିଥାଏ । ପାକିସ୍ତାନ ଅନୁପ୍ରବେଶକାରୀ ଜମ୍ମୁର ୫୧୪୦ ଘାଟିରେ ସମୁଦ୍ର ପତନରୁ ୧୭ ହଜାର ଫୁଟ ଉପରେ ମୋର୍ଚ୍ଚା ବାନ୍ଧି ରହିଥାନ୍ତି । ଏହି ଘାଟିକୁ ମୁକ୍ତ କରିବା ବିନା ଆଗକୁ ବଢିବା କଷ୍ଟକର ଥିଲା । ଏହାକୁ କବଜା କରିବାକୁ ଆଦେଶ ମିଳିଥିଲା ଲେଫ୍ଟନାଂଟ ବିକ୍ରମ ବାତ୍ରା ଓ କ୍ୟାପଟେନ୍ ସଂଜିବ ଜାମବାଲାଙ୍କୁ । କ୍ୟାପଟେନ୍ ବାତ୍ରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଅପରେସନ ।

ହେଲିକପ୍ଟରରୁ ଘାଟିରେ ଅବତରଣ କରିବା ମାତ୍ର ବାତ୍ରା ଆରମ୍ଭ କରିଥିଲେ ଶତ୍ରୁ ସେନା ଉପରେ ଆକ୍ରମଣ । ତାଙ୍କ ନିକଟରେ କିଛି ବି ସୂଚନା ନଥିଲା, ସେତେ ଶତ୍ରୁ ଅଛନ୍ତି, କେତେ ବଙ୍କର ରହିଛି । ତଥାପି ଅଦମ୍ୟ ସାହସ ଦେଖାଇ ବିକ୍ରମ ବାତ୍ରା ଆଖି ପିଛୁଳାକେ ୩ ପାକ୍ ସେନାକୁ ନିପାତ କରିଥିଲେ । ଏହା ପରେ ଆଗେଇ ଚାଲିଥିଲା ଭାରତୀୟ ସେନା । ଶତ୍ରୁ ହାତରୁ ମୁକ୍ତ ହେଲା ଜମ୍ମୁର ୫୧୪୦ ଘାଟି, କିନ୍ତୁ ଶତ୍ରୁ ସେନାର ଗୁଳିରେ ଦେଶ ପାଇଁ ଜୀବନକୁ ବଳି ଦେଇଗଲେ ବିକ୍ରମ ବାତ୍ରା ।

ଆଜି କାର୍ଗିଲ ଦିବସର ୨୦ ବର୍ଷ ପୂର୍ତି ଅବସରରେ ସହିଦ ବିକ୍ରମ ବାତ୍ରାଙ୍କ ବୀରତା ସବୁଠି ଚର୍ଚ୍ଚା ହେଉଛି । କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ବିକ୍ରମ ବାତ୍ରାଙ୍କ ବାପା ଭାରତ ସରକାରଙ୍କୁ ଅପିଲ କରିଛନ୍ତି । ସହିଦ ବିକ୍ରମଙ୍କ ନାଁରେ ଗୋଟିଏ ରାସ୍ତାର ନାମକରଣ କରିବାକୁ । ଯାହା ମାଧ୍ୟମରେ ତାଙ୍କର ବୀରତାର ଗାଥା ସମସ୍ତଙ୍କ ନିକଟରେ ପହଁଞ୍ଚି ପାରିବ ।