ଆଜିର ଗ୍ରାହକଙ୍କ ପସନ୍ଦ ଜୀବନଶୈଳୀ ପାଇଁ ସୁବିଧା ସୁଯୋଗ ଥିବା ଘର: ତପନ କୁମାର ମହାନ୍ତି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ରିଅଲ ଇଷ୍ଟେଟ୍ ଶିଳ୍ପରେ ସୁଧାର ହେଉଛି। ଶିଳ୍ପ ଉପରେ ମହାମାରୀର ପ୍ରଭାବ, ବର୍ତ୍ତମାନର ସ୍ଥିତି, ରାଜ୍ୟର ଅନ୍ୟ ସହରଗୁଡ଼ିକରେ ଥିବା ସମ୍ଭାବନା ଓ ଗ୍ରାହକଙ୍କ ପସନ୍ଦକୁ ନେଇ ଜେଡ୍ଇଷ୍ଟେଟସ୍ର ପରିଚାଳନା ନିର୍ଦେଶକ ତପନ କୁମାର ମହାନ୍ତିଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି:
Kanak News is now on WhatsApp
Join and get latest news updates delivered to you via WhatsApp
ବିଗତ ବର୍ଷଗୁଡ଼ିକେର ରାଜ୍ୟ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ କିଭଳି ପରିବର୍ତ୍ତନ ହୋଇଛି?
କିଛି ବର୍ଷ ପୂର୍ବରୁ ରିଅଲ ଇଷ୍ଟେଟ୍ ବ୍ୟବସାୟରେ ଅନେକ ସଂସ୍ଥା ସକ୍ରିୟ ଥିଲେ। ସ୍ଥାନୀୟ ସଂସ୍ଥା ଠାରୁ ଆରମ୍ଭ କରି ସାରା ଦେଶରେ ପ୍ରତିଷ୍ଠା ଲାଭ କରିଥିବା ବଡ଼ ବଡ଼ ସଂସ୍ଥା ମଧ୍ୟ ଓଡ଼ିଶା ଆସି ପ୍ରକଳ୍ପ ସ୍ଥାପନ କରିଥିଲେ। ଇତି ମଧ୍ୟରେ ଅନେକ ସଂସ୍ଥା ବଜାରରୁ ସମ୍ପୂର୍ଣ୍ଣ ଓହରିଯାଇଛନ୍ତି। ରେରା ନିୟମ ଲାଗୁ ହେବା ପରେ ଅନେକ କିଛି ବଦଳିଯାଇଛି। ଯେଉଁମାନେ ବ୍ୟବସାୟକୁ ବିଶେଷ ଗୁରୁତ୍ବ ଦେଉନଥିଲେ ସେମାନଙ୍କୁ ଆଉ ଦେଖିବାକୁ ମିଳୁନି। ଖାମଖିଆଲି ମନୋଭାବ ରଖି କାରବାର କରୁଥିବା ସଂସ୍ଥାଗୁଡ଼ିକ ପାଇଁ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଆଉ ସ୍ଥାନ ନାହିଁ।
ମହାମାରୀର ପ୍ରଭାବ କିଭଳି ରହିଥିଲା?
ରିଅଲ ଇଷ୍ଟେଟ୍ ଶିଳ୍ପ ପାଇଁ ମହାମାରୀ ଏକ ଶକ୍ତ ଧକ୍କା ସଦୃଶ ଥିଲା। ଗ୍ରାହକମାନଙ୍କ ଦୃଷ୍ଟିରୁ ପ୍ରଭାବ କମ୍ ରହିଥିଲା। ମାତ୍ର ଶ୍ରମ ଶକ୍ତି କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲା। ଅନେକ କଂପାନି ନିଜର ହ୍ବାଇଟ୍ କଲାର୍ କର୍ମଚାରୀଙ୍କ ସଂଖ୍ୟା କମ୍ କରିଥିଲେ। ଶ୍ରମିକମାନେ ନିଜ ଘରକୁ ପଳାଇଥିଲେ। ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା। ତେବେ ଏହି କ୍ଷେତ୍ରରେ ସେଭଳି ବଡ଼ ଧରଣର ଛଟେଇ ହୋଇନାହିଁ। ଅତିବେଶିରେ ୨୦% କର୍ମଚାରୀ ପ୍ରଭାବିତ ହୋଇଥିବେ ବୋଲି ମୁଁ ଭାବୁଛି।
ବର୍ତ୍ତମାନ ସ୍ଥିତି କ’ଣ ରହିଛି?
ସ୍ଥିତିରେ ଉନ୍ନତି ହୋଇଥିବାର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ରିଅଲ ଇଷ୍ଟେଟ୍ କ୍ଷେତ୍ର ଅଭିବୃଦ୍ଧି ପଥରେ ରହିଛି। ଏବେ ବହୁତ ଭଲ ପ୍ରକଳ୍ପ ଦେଖିବାକୁ ମିଳୁଛି। ନିବେଶ ଧାରା ସ୍ବାଭାବିକ ରହିଛି। ବ୍ୟାଙ୍କଗୁଡ଼ିକ ଠାରୁ ଋଣ ପାଇବାରେ କୌଣସି ଅସୁବିଧା ହେଉନାହିଁ। ଯେଉଁମାନଙ୍କ ପାଖରେ କାଗଜପତ୍ର ଠିକ୍ ଅଛି ଓ ସମସ୍ତ ପ୍ରକାର ମଞ୍ଜୁରି ରହିଛି ସେମାନଙ୍କୁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ଆଗ୍ରହ ଦେଖାଉଛନ୍ତି। ଯେହେତୁ ଅଧିକ ପ୍ରକଳ୍ପ ଘୋଷଣା ହେଉନାହିଁ ତେଣୁ ବିକ୍ରି ହୋଇପାରୁନଥିବା ଘର ସଂଖ୍ୟା ମଧ୍ୟ ନଗଣ୍ୟ ସ୍ତରରେ ରହିଛି। ବାସ୍ତବରେ ନୂଆ ଫ୍ଲାଟ୍ର ଅଭାବ ରହିଛି।
କମର୍ସିଆଲ୍ ରିଅଲ ଇଷ୍ଟେଟ୍ ବଜାର ସ୍ଥିତି କିଭଳି ରହିଛି?
ଯେଉଁ ସହରରେ ଅଧିକ ଲୋକ ବାସ କରନ୍ତି ସେଠାରେ କମର୍ସିଆଲ୍ କମ୍ପ୍ଲେକ୍ସ ସଫଳ ହୋଇଥାଏ। ଭୁବନେଶ୍ବର ସେହି ଦୃଷ୍ଟିରୁ ଏକ ବଡ଼ ବଜାର ହେବାକୁ ସମୟ ଲାଗିବ। ଏବେ ସହରରେ ଥିବା ଅନେକ କମର୍ସିଆଲ୍ କମ୍ପ୍ଲେକ୍ସରେ ଘର ଖାଲି ପଡ଼ିଛି। ସେଗୁଡ଼ିକ ଭଡ଼ାରେ ଲାଗୁନାହିଁ। ଯେଉଁ ସଂସ୍ଥା ପ୍ରକଳ୍ପ ସ୍ଥାପନ କରିଛନ୍ତି ସେମାନେ ରିଟର୍ଣ୍ଣ ପାଇବାକୁ ସଂଘର୍ଷ କରୁଛନ୍ତି। ଯେପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ଥିବା ଦୋକାନଗୁଡ଼ିକରେ କିଣାବିକା ଦ୍ରୁତ ଗତିରେ ନବଢ଼ିବ ବା ବାଣିଜ୍ୟିକ ଦୃଷ୍ଟିରୁ ଲାଭଜନକ ନହେବ ସେପର୍ଯ୍ୟନ୍ତ କମର୍ସିଆଲ୍ କମ୍ପ୍ଲେକ୍ସ ବଜାର ସଂଘର୍ଷ କରିବ।
ଭୁବନେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟ କେଉଁ ସହରରେ ରିଅଲ ଇଷ୍ଟେଟ୍ ଶିଳ୍ପ ବଢ଼ୁଛି?
ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା, ସମ୍ବଲପୁର, ପୁରୀ, କଟକ, ଝାରସୁଗୁଡ଼ା ଓ ଯାଜପୁର ଭଳି ସହରରେ ରିଅଲ ଇଷ୍ଟେଟ୍ ଏକ ଶିଳ୍ପ ଭାବେ ଉଭା ହୋଇଛି। କିନ୍ତୁ ସେହି ଅଞ୍ଚଳର ଲୋକମାନେ ଫ୍ଲାଟ୍ କିମ୍ବା ଆଧୁନିକ ଜୀବନଶୈଳୀକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେଠାରେ ଦ୍ରୁତ ଗତିର ଅଭିବୃଦ୍ଧି ହାସଲ କରିବା କଂପାନିଗୁଡ଼ିକ ଲାଗି କଷ୍ଟକର ହେବ। ଏହି ସହରଗୁଡ଼ିକ ମଧ୍ୟରୁ କିଛି ସହରରେ ଚାରି ପାଞ୍ଚଟି ପ୍ରକଳ୍ପ ରହିଛି ଯେଉଁଥିରେ ଥିବା ଫ୍ଲାଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇପାରିନାହିଁ।
କେଉଁ ବର୍ଗର ଗ୍ରାହକମାନେ ଘର କିଣିବାକୁ ଆଗ୍ରହ ଦେଖାଉଛନ୍ତି?
ସବୁ ପ୍ରକାର ଗ୍ରାହକ ଘର କିଣୁଛନ୍ତି। ସ୍ଥାନୀୟ ଲୋକ, ବେତନଭୋଗୀ ଓ ବ୍ୟବସାୟୀ ଆଦି ସମସ୍ତେ ଘର କିଣୁଛନ୍ତି। ପ୍ରବାସୀ ଭାରତୀୟମାନେ ମଧ୍ୟ ଘର କିଣୁଛନ୍ତି। ଲୋକମାନେ ନିଜେ ରହିବା ପାଇଁ, ନିବେଶ ଉଦ୍ଦେଶ୍ୟରେ କିମ୍ବା ବୟସ୍କ ଅଭିଭାବକ ରହିବା ଲାଗି ଘର କିଣୁଛନ୍ତି। ଏବେ ଗ୍ରାହକମାନେ ଜୀବନଶୈଳୀ ପାଇଁ ଅଧିକ ସୁବିଧା ସୁଯୋଗ ଥିବା ଘର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ସେମାନେ ସେଥିପାଇଁ ଆଉ କିଛି ଅଧିକ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ବିଷୟରେ ଆପଣଙ୍କ ମତ କ’ଣ?
ଏହା ଏକ ବହୁତ ଭଲ ଅଭିଯାନ। ମୁଁ ଏହାର ଦୁଇଟି ତିନିଟି ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଏହି ଅଭିଯାନ ଯେ ନୂତନ ଏବଂ ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାଦାୟୀ ଏଥିରେ କୌଣସି ଦ୍ବିମତ ନାହିଁ।