ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ଦେଲା ପୁରୁଣା ମୁହଁ: ସମ୍ଭାବ୍ୟ ତାଲିକାରେ ବିଜେଡିର ଅଳକା ଓ ବିଜେପିର ରାଧାରାଣୀ

353

କନକ ବ୍ୟୁରୋ: ପ୍ରାର୍ଥୀ ଘୋଣଷାରେ ସବୁବେଳେ ପଛରେ ରହୁଥିବା କଂଗ୍ରେସ ଏଥର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଗୁଆ କାର୍ଡ ଖୋଲିଛି । ବିଧିବଦ୍ଧ ଭାବେ ନାଁ ଘୋଷଣା ହୋଇନଥିଲେ ବି ପୁରୁଖା ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ ନେଇ ନିଷ୍ପତି ହୋଇଛି । ଆଉ ତାଙ୍କର ନାଁକୁ ହାଇକମାଣ୍ଡଙ୍କୁ ପଠାଇଛି ଦଳ ।

ପୂର୍ବ ଉପନିର୍ବାଚନ ଭଳି ବ୍ରଜରାଜନଗରରେ ବି ସିମ୍ପାଥି କାର୍ଡ ଖେଳିପାରେ ବିଜେଡି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ମୈଦାନକୁ ଆଣି ମାଷ୍ଟଷ୍ଟ୍ରୋକ ଖେଳିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି ୩ ଦିନ ତଳେ ବ୍ରଜରାଜନଗରରେ ବସିଥିବା ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇସାରିଛି । ଖାଲି ସୁପ୍ରିମୋଙ୍କ ଘୋଷଣା ବାକି ରହିିଛି । ସେପଟେ ବିଜେପି ପୁରୁଣା ନା ନୂଆ ମୁହଁକୁ ପ୍ରାର୍ଥୀ କରିବ ସେ ନେଇ ବିଚାରବିମର୍ଷ ଚାଲିଛି । ଗୋଟିଏ ପଟେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଲବି କରୁଥିବାବେଳେ ଅନ୍ୟ ପଟେ ଯୁବନେତା ସୁଜିତ ସିଂ ବି ଆଶାୟୀ ତାଲିକାରେ ଅଛନ୍ତି । କିନ୍ତୁ ରାଧାରାଣୀ ପଣ୍ଡାଙ୍କ ନାଁ ଆଗରେ ରହିଛି ।

୪ ତାରିଖରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ନାମାଙ୍କନ । ୧୧ ତାରିଖ ରହିଛି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ସେପଟେ ବ୍ରଜରାଜନଗର ଫଳାଫଳ ୨୦୨୪ ନିର୍ବାଚନ ପୂର୍ବରୁ ୩ ଦଳ ପାଇଁ ଏସିଡ ଟେଷ୍ଟ ବୋଲି କୁହାଯାଇପାରେ ।