ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ହେବ ଚିହ୍ନଟ : ସମୁଦ୍ରରେ ଭାସିବ ୧୫ଟି ବର୍ଥ, ୨୩ ବର୍ଷ ପରେ ନିଆଗଲା ପଦକ୍ଷେପ

137

କନକ ବ୍ୟୁରୋ : ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପାଇବାର ୨୩ ବର୍ଷ ପରେ ସୀମା ଚିହ୍ନଟ ହେବ। ସମୁଦ୍ର ମଧ୍ୟରେ ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ ପାଇଁ ବର୍ଥ ପାରାଦୀପରେ ପହଞ୍ଚିଛି। ଖୁବ ଶୀଘ୍ର ସମୁଦ୍ର ମଧ୍ୟରେ ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପିସିସିଏଫଙ୍କ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ତର କରାଯାଇ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ ନିମନ୍ତେ ଠିକାଦାର ନିଯୁକ୍ତ କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୀମା ଚିହ୍ନଟ ପାଇଁ ସମୁଦ୍ର ମଧ୍ୟରେ ୧୫ଟି ବର୍ଥ ବସାଯିବ। ଆଇରନ ଓ ପ୍ଲାଷ୍ଟିକରେ ତିଆରି ବିରାଟକାୟ ବର୍ଥ ଗୁଡିକ ସମୁଦ୍ର ମଧ୍ୟରେ ଭାସିବ । ସମୁଦ୍ର ଲୁଣି ପାଣିରେ ନଷ୍ଟ ହେଉ ନଥିବା, ସମୁଦ୍ର ପାଣିର ସ୍ରୋତ ସମ୍ଭାଳି ପାରୁଥିବା ଓ ବାତ୍ୟାଞ୍ଚଳରେ ସମୁଦ୍ର ମଧ୍ୟରେ ଦୀର୍ଘଦିନ ଧରି ରହିପାରିବା ଭଳି ବର୍ଥ ନିର୍ମାଣ କରାଯାଇଛି । ବିଭିନ୍ନ ବୈଷୟିକ ସଂସ୍ଥାର ସହଯୋଗ ଓ ପରାମର୍ଶରେ ବର୍ଥଗୁଡିକ ନିର୍ମାଣ କରାଯାଇଛି। ଅକ୍ଷାଂଶ ଓ ଦ୍ରାଘିମା ଜିପିଏସରେ ଟ୍ରାକ୍‌ କରି ବର୍ଥଗୁଡ଼ିକ ସମୁଦ୍ର ମଧ୍ୟରେ ବସାଯିବ । ୧୫ଟି ପଏଣ୍ଟରେ ୧୫ଟି ବର୍ଥ ବସାଯିବ ।
ବର୍ଥଗୁଡିକରେ ଆଲୋକ ଲଗାଯିବ। ରାତିରେ ଟ୍ରଲରଗୁଡିକ ବର୍ଥର ଆଲୋକକୁ ଦେଖି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ଜାଣି ପାରିବେ। ଖୁବ୍ ଶୀଘ୍ର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦କିମି ବାଲୁକା ଶଯ୍ୟାରେ ବିରଳ ଅଲିଭରିଡଲେ କଇଁଛଙ୍କ ସାମୂହିକ ଅଣ୍ତାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ୧୯୯୭ ଡିସେମ୍ବର ୨୭ରେ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ। ଏହା ଦେଶର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ। ଭିତରକନିକା ସଂଲଗ୍ନ ବିସ୍ତୀର୍ଣ୍ଣ ବେଳାଭୂମିର ସମୁଦ୍ର ଭିତରକୁ ୨୦ କିମି ଅଂଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷ ତମାମ ଅର୍ଥାତ ବର୍ଷକ ୧୨ମାସ ମାଛଧରା ଏବଂ ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ଓ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଆଜି ଯାଏ ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ ହୋଇନଥିଲା।
ଏଥିଯୋଗୁ ଅନେକ ସମୟରେ ବିବାଦ ମୁଣ୍ତ ଟେକିଥାଏ। ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ବାହାରେ ମାଛ ମାରୁଥିବା ଟ୍ରଲରଗୁଡିକୁ ବନବିଭାଗ ଜବତ କରି ନିର୍ଯାତନା ଦେଉଥିବା ଅଭିଯୋଗ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ ପକ୍ଷରୁ କରାଯାଉଥିଲା। ଅଥଳ ସମୁଦ୍ରର ନୀଳ ଜଳରାଶି ମଧ୍ୟରେ କେତେବାଟ ଯାଏ ସାମୁଦ୍ରିକ ଅଭୟାରଣ୍ୟର ସୀମା ରହିଛି ତାହା ଜାଣିବା ସମ୍ଭବ ହୋଇନଥାଏ। ଟ୍ରଲର ସଂଘ ଓ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ କରିବାକୁ ଦାବି କରାଯାଉଥିଲା। ଶେଷରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷଣାର ୨୩ ବର୍ଷ ପରେ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।