ବାପ-ପୁଅଙ୍କ ଅତୁଟ ବନ୍ଧନ। ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ।

1,039

କନକ ବ୍ୟୁରୋ: ଶ୍ମଶାନ ଗୋଟିଏ, ଶବ ଜଳୁଛି ଦୁଇଟି । ଏକାଠି ଜଳିଛି ବାପା-ପୁଅର ଜୁଇ । ଏହି ଜୁଇରେ କେବଳ ଯେ, ଗୋଟିଏ ସମ୍ପର୍କ ଜଳିଯାଇଛି, ତାହା ନୁହେଁ ଗୋଟିଏ ପରିବାର ଉଜୁଡ଼ି ଯାଇଛି । ଘରର ମୁରବି ଚାଲିଯାଇଛନ୍ତି, ପରିବାର ଦାୟାଦ ଆଖି ବୁଜି ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଗୋଟିଏ ପୁଅଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ଆଉ ଯେତେବେଳେ ବଡ଼ ପୁଅର ମୃତ୍ୟୁ ଖବର ଶୁଣିଛନ୍ତି ବାପା, ଏହି ଦୁଃଖକୁ ସହ୍ୟ କରିପାରିନାହାଁନ୍ତି ।

ଆଦିକନ୍ଦ ସା, ଆର୍ତତ୍ରାଣ ସା । ସମ୍ପର୍କରେ ଏମାନେ ବାପା-ପୁଅ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ମାଲିପଡ଼ାରେ ରହୁଥିଲେ ସା’ ପରିବାର । ଗତକାଲି ଅଚନାକ୍୍ ଆଦିକନ୍ଦ ସା’ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ପୁଅ ଆର୍ତତ୍ରାଣ ସା’ ବାପାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ । ବାପାଙ୍କ ଚିକିତ୍ସା ଚାଲିଥିବା ସମୟରେ ଅଚାନକ୍, ପୁଅ ଆର୍ତତ୍ରାଣ ଅସୁସ୍ଥ ହୋଇପଡ଼ିଥିଲେ । ଡାକ୍ତର ଆସି ଚିକିତ୍ସା କରୁ କରୁ ଆର୍ତତ୍ରାଣଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅର ମୃତ୍ୟୁ ଖବର ଶୁଣିବା ପରେ ବାପା ଆଦିକନ୍ଦ ଆହୁରି ଗୁରୁତର ହୋଇପଡ଼ିଥିଲେ । ଆଉ ତାଙ୍କର ବି ଦେହାନ୍ତ ହୋଇଯାଇଥିଲା ।

ମୃତ୍ୟୁ କେତେବେଳେ କେମିତି ଆସିବ କେହି ଜାଣିନାହାଁନ୍ତି । କିନ୍ତୁ ଏହି ଅଚାନକ୍୍ ମୃତ୍ୟୁ ଗୋଟିଏ ପରିବାରକୁ ଉଜାଡ଼ି ଦେଇଛି । ସୂଚନା ଅନୁସାରେ, ମୃତ ଆର୍ତତ୍ରାଣଙ୍କ ଗୋଟିଏ ପୁଅ ଅଛନ୍ତି । ଯିଏ ଭିନ୍ନକ୍ଷମ । ଏବେ ଦୁଇ ବିଧବା ମହିଳା ଓ ଅଭିନ୍ନକ୍ଷମ ପୁଅର ଯତ୍ନ ନେବ, ତାହା ସବୁଠାରୁ ବଡ଼ ପ୍ରଶ୍ନ ।