ଅର୍ଣ୍ଣବଙ୍କୁ ମିଳିଲା ନାହିଁ ଜାମିନ୍ : ଆସନ୍ତାକାଲି ପୁଣି ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ସୁଇସାଇଡ୍ ନୋଟରେ ସବା ଆଗରେ ରହିଛି ଅର୍ଣ୍ଣବଙ୍କ ନାଁ

285

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଯେଉଁ ଅଭିଯୋଗରେ ରିୟା ଚକ୍ରବର୍ତୀଙ୍କୁ ଟାର୍ଗେଟ କରିଥିଲେ ଏବେ ଠିକ୍ ସେମିତି ଏକ ଅଭିଯୋଗରେ ନିଜେ ଫସି ଯାଇଛନ୍ତି । ବୁଧବାର ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ୧୪ ଦିନିଆ ବିଚାର ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । କିନ୍ତୁ ଅର୍ଣ୍ଣବ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କହିଥିଲେ ତାଙ୍କୁ ବେଆଇନ୍ ଭାବେ ଗିରଫ କରାଯାଇଛି ଏବଂ ବନ୍ଦ ହୋଇଯାଇଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିବାରୁ ତୁରନ୍ତ ତାଙ୍କୁ ଖଲାସ କରାଯାଉ ।

ବମ୍ବେ ହାଇକୋର୍ଟ ଏହି ମାମଲାରେ ଜାମିନ ଦେବାକୁ ମନା କରିଦେଇଛନ୍ତି । ୨ ଜଣିଆ ଖଣ୍ଡପୀଠ କହିଛନ୍ତି, ଅଭିଯୋଗକାରୀ ଓ ରାଜ୍ୟ ସରକାରଙ୍କ ଯୁକ୍ତି ନଶୁଣିବା ଯାଏ, ଅନ୍ତରୀଣ ନିର୍ଦେଶ ଦିଆଯାଇ ପାରିବ ନାହିଁ । ତେଣୁ ଶୁକ୍ରବାର ମାମଲାର ପରବର୍ତୀ ଶୁଣାଣି ହେବ । ଯେଉଁଥିରେ, ଅଭିଯୋଗକାରୀ ଓ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବେ ବମ୍ବେ ହାଇକୋର୍ଟ ।

ଅନଭୟ ନାୟକଙ୍କ ସୁଇସାଇଡ୍ ନୋଟ ମଧ୍ୟ ପୋଲିସର ହସ୍ତଗତ ହୋଇଥିଲା । ଯେଉଁଥିରେ ଲେଖା ଯାଇଛି, ତାଙ୍କର ଟଙ୍କା ଅର୍ଣ୍ଣବ ଗୋସ୍ୱାମୀ , ଫିରୋଜ୍ ସେକ୍ ଓ ନିତେଶ୍ ସାରଦାଙ୍କ ପାଖରେ ଫସି ଯାଇଛି । ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ୱାମୀ ୮୩ ଲକ୍ଷ ଟଙ୍କା ଦେଇ ନାହାନ୍ତି । ସୁଇସାଇଡ ନୋଟରେ ଅନଭୟ ଲେଖିଛନ୍ତି, ଦୟା କରି ଏହି ଟଙ୍କା ସେମାନଙ୍କ ଠାରୁ ଆଦାୟ କରାଯାଉ, ଏବଂ ତାଙ୍କର ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରାଯାଉ ।