ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୁରା ପେଟ୍ରୋଲ ପମ୍ପ । ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ।

ବମ୍ ଫୁଟିବାର ଆୱାଜ ହୋଇଥିଲା

183

କନକ ବ୍ୟୁରୋ : ରାଜଧାନୀର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ । ପେଟ୍ରୋଲ ପମ୍ପରେ ଥିବା ସିଏନଜି ଷ୍ଟକରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ପେଟ୍ରୋଲ ପମ୍ପ ଓ ତା’ର ଆଖ ପାଖ ଅଞ୍ଚଳରେ ରହୁଥିବା ଲୋକମାନେ ଏବେ ଭୟଭିତ । ଅଗ୍ନିକାଣ୍ଡ ଘଟିବା ବେଳେ ଆଖ ପାଖରେ ଥିବା ଲୋକମାନେ ଆହତ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ କ୍ଷତିଗ୍ରସ୍ଥ ହୋଇଛନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ ଓ ତେଲ ପକାଇବାକୁ ଯାଇଥିବା ଲୋକମାନେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା କି ପେଟ୍ରୋଲ ଟାଙ୍କିଟି ଆକାଶରେ ଉଡିଥିଲା । ଫଳରେ ସେଥିରୁ ନିଆଁଝୁଲ ଖସି ଲୋକ ମାନଙ୍କର ଦେହ ହାତ ପୋଡି ଯାଇଛି । ଜଣେ ବୃଦ୍ଧା କହିଛନ୍ତି କି ଟାଙ୍କି ବିସ୍ଫୋରଣ ବେଳେ ଏକ ବମ୍ ଫୁଟିବାର ଆୱାଜ ହୋଇଥିଲା ।

‘ମୁଁ ଭାବିଲି ବୋଧେ ମୁଁ କାମ କରୁଥିବା ବାବୁଙ୍କ ଘରେ କିଛି ଫାଟିଗଲା ’ । ଅନ୍ୟଜଣେ ପେଟ୍ରୋଲ ପମ୍ପ କର୍ମଚାରୀ କହିଛନ୍ତି କି କିଛି କର୍ମଚାରୀ ତେଲ ଫିଲିଙ୍ଗ କରୁଥିଲେ ଓ ଆମେ ଖାଇବାକୁ ବସିଥିଲୁ । ହଠାତ୍ ଏକ ବିସ୍ଫୋରଣ ହେବା ଭଳି ଆୱାଜ ଶୁଣିବାକୁ ମିଳିଥିଲା । ଆମେ ଖାଇବା ପାଖରୁ ଉଠି ଦେଖିଲୁ କି ତାଳଗଛ ଉର୍ଚ୍ଚରେ ନିଆଁ ଜଳୁଛି । ତଳକୁ ଦେଖିବା ବେଳକୁ ପେଟ୍ରୋଲ ଟାଙ୍କି ଆକାଶରେ ଉଡୁଛି । ‘ଏ ଚିତ୍ର ଦେଖି ମୋ ଦେହ ହାତ କ’ଣ ହୋଇଗଲା’ । ଅନ୍ୟଜଣେ କର୍ମଚାରୀ କହିଛନ୍ତି କି ଆମେ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଘରେ ଥିଲୁ ଟାଙ୍କି ଫାଟିବା ପରେ ହଠାତ୍ ଛାତ ଗଳି ପଡିଲା । ଆମେ ତା ଭିତରୁ ବାହାରକୁ ବାହାରି ଆସିଥିଲୁ । ହେଲେ ବି ଆମ ଭିତରୁ ଅନେକ ଲୋକ ଖଣ୍ଡିଆ ଖାବରା ହୋଇଛନ୍ତି ।


ଅନ୍ୟପଟେ ପେଟ୍ରୋଲପମ୍ପର ଆଖ ପାଖରେ ରହୁଥିବା ଲୋକମାନଙ୍କ ଭିତରେ ଏବେ କୋକୁଆ ଭୟ । କେହି କେହି ନିଜ ଘର ଭିତରକୁ ଯିବାକୁ ଡରୁଛନ୍ତି ତ କେହି କେହି ଏଭଳି ଦୃଶ୍ୟ ଦେଖି କାବା ହୋଇଯାଇଛନ୍ତି । ଏହି ଘଟଣା ଜାଣିବା ପରେ ଘଟଣା ସ୍ଥଳରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପହଂଚି ତଦନ୍ତ ଜାରି ରଖିଛନ୍ତି । ସି.ପି କହିଛନ୍ତି କି ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି । ଅଗ୍ନିସମ ବିଭାଗ ନିଆଁକୁ ଆୟତ କରିଛି । ୨ ଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।