ନିରାଡ଼ମ୍ବରରେ ହେବ ବୋଇତ ବନ୍ଦାଣ ଉତ୍ସବ : ଟଳମଳ ବୋଇତ କାରିଗରଙ୍କ ଭେଳା

333

କନକ ବ୍ୟୁରୋ : ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ବର୍ଷକର ଏହି ଦିନଟି ମହାଧର୍ମ ମାସର ଅନ୍ତିମ ଦିନ ହିସାବରେ ଯେତିକି ଗୁରୁତ୍ୱପୂର୍ଣ୍ଣ, କାଗଜ ଡଙ୍ଗା ବା ବୋଇତ କାରିଗରଙ୍କ ପାଇଁ ତା’ଠାରୁ ଅଧିକ ଅପେକ୍ଷାର ଦିନ । ସମୃଦ୍ଧ କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟର ପ୍ରତୀକ ବହନ କରୁଥିବା ଏହି ଦିନଟି ବୋଇତ କାରିଗରଙ୍କ ପାଇଁ ରୋଜଗାରର ଦିନ । ସେତେବେଳେ ଏହି ଦିନ ବିଦେଶରୁ ବିପୁଳ ଧନରତ୍ନ ଧରି ସାଧବ ପୁଅ ଘରକୁ ଫେରୁଥିଲା ଓ ସେହି ସ୍ମୃତିର ପର୍ବରେ ବୋଇତ କାରିଗର ମଧ୍ୟ କିଛି ରୋଜଗାର କରୁଥିଲା । ମାତ୍ର ଚଳିତ ବର୍ଷ ମହାମାରୀ କରୋନା ସେମାନଙ୍କ ରୋଜଗାର ବାଟକୁ ଅବରୋଧ କରି ବସିଛି । କରୋନା ପାଇଁ ବୋଇତ ବନ୍ଦାଣ ଭିଡ଼ ଉପରେ କଟକଣା ଲାଗୁ ହୋଇଥିବାରୁ ଚଳିତ ବର୍ଷ ବେପାର ମାନ୍ଦା ପଡ଼ିବା ଜଳଜଳ ଦିଶିଲାଣି । ତେଣୁ ବୋଇତ କାରିଗରଙ୍କ ରୋଜଗାର ଭେଳା ଟଳମଳ ଅବସ୍ଥାରେ ।

କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ ଓଡ଼ିଶାର ଏକ ମହାନ ପରମ୍ପରା । କଳିଙ୍ଗ ସାଧବ ପୁଅର ବାଣିଜ୍ୟ ସ୍ମୃତିରେ ଏହି ଅବସରରେ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କରାଯାଏ । ପୂର୍ବରୁ କଦଳୀ ପାଟୁକାରେ ଡଙ୍ଗା କରି ଲୋକେ ନଦୀ ଓ ପୋଖରୀରେ ଭସାଉଥିଲେ । ମାତ୍ର ବହୁ ବର୍ଷ ହେଲା ରଙ୍ଗିନ୍‌ କାଗଜରେ ପ୍ରସ୍ତୁତ ସୁନ୍ଦର ଡଙ୍ଗା ଭସାଇବା ପରମ୍ପରା ଚାଲିଛି । ତେଣୁ ଏହି ଡଙ୍ଗା ତିଆରି କରି ବହୁ ପରିବାର ଗୁଜୁରାଣ ମେଣ୍ଟାନ୍ତି । ପ୍ରତିବର୍ଷ ପୁରୁଣା ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗିର ନଳାମୁହଁ ସାହି, ଜୟଦେବନଗରର ଦଳିତ ସାହି, ପୂର୍ଣ୍ଣିମା ଗେଟ୍ ଭୋଇସାହି, ମାଟିସାହି, ମଠସାହି ଓ ବିଭିନ୍ନ ବସ୍ତିର ବହୁ ପରିବାର ଡଙ୍ଗା ତିଆରି କରିଥାନ୍ତି। ଲୋକେ ବିଭିନ୍ନ ଡିଜାଇନ୍‌ର ଆକର୍ଷଣୀୟ ବୋଇତ କିଣିବାକୁ ଆଗ୍ରହ କରନ୍ତି। ତେଣୁ ବୋଇତ ତିଆରି କରୁଥିବା ଲୋକେ ରଙ୍ଗିନ୍‌ କାଗଜରେ ବିଭିନ୍ନ ରଙ୍ଗର ଜିଙ୍କ୍‌ ଓ ଝାଲର ଦେଇ ଡଙ୍ଗାକୁ ଅଧିକ ଆକର୍ଷଣୀୟ କରିଥାନ୍ତି । ଡଙ୍ଗା ବିକ୍ରିରେ ଭଲ ଦି’ପଇସା ରୋଜଗାର ହୁଏ । ପୂରା ପରିବାର ଲାଗିପଡ଼ନ୍ତି ଡଙ୍ଗା ତିଆରିରେ । ସ୍ଥାନୀୟ ଅଞ୍ଚଳ‌ରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଡଙ୍ଗା ତିଆରି କରନ୍ତି ।

ହେଲେ ଚଳିତ ବର୍ଷ କରୋନା ସବୁ ବିଗାଡ଼ି ଦେଇଛି। ଭିଡ଼ ପାଇଁ ଅନୁମତି ନଥିବାରୁ ଲୋକେ ଏଥର ଡଙ୍ଗା ଭସାଇବାକୁ ଆସିବେ କି ନା ସନ୍ଦେହ ରହିଛି । ତେଣୁ ଡଙ୍ଗା ତିଆରି କରିବାକୁ ପଛଘୁଞ୍ଚା ଦେଇଛନ୍ତି ଏହି ପରିବାରର ସଦସ୍ୟମାନେ । ସେହିଭଳି ଚଳିତ ବର୍ଷ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ନିରାଡ଼ମ୍ବର ସହକାରେ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିବ । କରୋନା କଟକଣା କାରଣରୁ ଏଥର ବଡ଼ ଧରଣର କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି । କେବଳ ପରମ୍ପରା ରକ୍ଷା ପାଇଁ କାର୍ଯ୍ୟକ୍ରମକୁ କମ୍ ଲୋକରେ ସୀମିତ ରଖିବାକୁ ସ୍ଥିର କରାଯାଇଛି ।