ଅଧା ରାସ୍ତାରେ ଛାଡିଦେଲା ଆମ୍ବୁଲାନ୍ସ । ରାସ୍ତା ଉପରେ ପଡିରହିଲା ଶବ

104

କନକ ବ୍ୟୁରୋ : କଟକ ବଡମେଡିକାଲରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଭିମୁଖେ ଶବକୁ ନେଇ ଯାଉଥିବା ଏକ ଘରୋଇ ଆମ୍ବୁଲାନ୍ସ ବହୁଗ୍ରାମ ନିକଟରେ ରାସ୍ତାରେ ଛାଡିଦେଇ ପଳାଇ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ସମୟ ଧରି ରାସ୍ତାରେ ଶବ ପଡି ରହିବା ଘଟଣାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅଞ୍ଚଳର ବାସିନ୍ଦା ମହେଶ୍ୱର ପ୍ରଧାନଙ୍କ ପତ୍ନୀ କୌଣସି ରୋଗରେ ପୀଡିତ ହୋଇ ଚିକିତ୍ସିତ ଅବସ୍ଥାରେ ଆଜି ଅପରାହ୍ନରେ ପ୍ରାଣ ହରାଇଥିଲେ ।

ତାଙ୍କ ପରିବାର ଲୋକ ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ା ସୂତ୍ରରେ ଡାକି ନିଜ ଗ୍ରାମକୁ ବାହାରିଥିଲେ । ତାଙ୍କ ସହିତ ବଡଭାଇ ରତ୍ନାକର ଓ ତାଙ୍କ ମା ମଧ୍ୟ ଥିଲେ । ବହୁଗ୍ରାମ ନିକଟରେ ଆମ୍ବୁଲାନ୍ସ ଭଡାକୁ ନେଇ ଆମ୍ବୁଲାନ୍ସ ଚାଳକ ସହିତ ମହେଶ୍ୱରଙ୍କର କଥା କଟାକଟି ହୋଇଥିଲା ।ଚାଳକଙ୍କ ଭଡା ଦାବି ଅନୁଯାୟୀ ମହେଶ୍ୱର ଅଧିକ ଭଡା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ । ଫଳରେ ରାଗିଯାଇ ଆମ୍ବୁଲାନ୍ସ ଚାଳକ ଶବକୁ ଗାଡ଼ିରୁ ବାହାର କରିଦେଇ କଟକ ଫେରିଯାଇଥିଲେ ।

ଅସହାୟ ଅବସ୍ଥାରେ ଦୁଇ ଭାଇ ଓ ମା ଶବକୁ ଧରି ରାସ୍ତା କଡରେ ଠିଆହୋଇ ରହିଥିଲେ । ଖବରପାଇ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା । ପ୍ରାୟ ଏକ ଘଣ୍ଟାପରେ ବହୁଗ୍ରାମ ପୂର୍ବତନ ସରପଞ୍ଚ ପୂର୍ଣିମା ବସ୍ତିଆ ଘଟଣା ସମ୍ପର୍କରେ ଜାଣିବା ପରେ ନିଜ ଉଦ୍ୟମରେ ଏକ ଗାଡି ବ୍ୟବସ୍ଥା କରି ଶବକୁ ପଟ୍ଟାମୁଣ୍ଡାଇ ପଠାଇବା ବ୍ୟବସ୍ଥା କରିଥିଲେ।