ଗାଁ ଦାଣ୍ଡରେ ୪ ଦିନ ଧରି ପଡି ରହିଛି ମାଆ ଝିଅଙ୍କ ଶବ । କାନ୍ଧ ଦେବାକୁ ଆସୁନାହାନ୍ତି ଗ୍ରାମବାସୀ । ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ ନେଉନି ପଦକ୍ଷେପ

228

କନକ ବ୍ୟୁରୋ : ଘର ଦୁଆର ମୁହଁରେ ପଡି ରହିଛି ମୃତଦେହ । ଏମିତି ୪ ଦିନ ହେଲା ମୃତଦେହ ପଡିଛି ହେଲେ ସଂସ୍କାର ହେଉନାହିଁ । କାରଣ ଗ୍ରାମବାସୀଙ୍କ ଗୋଟିଏ ଜିଦ୍ , ପ୍ରଥମେ ହତ୍ୟାକାରୀଙ୍କୁ ଗିରଫ କର, ତାପରେ ଗାଁ ଦାଣ୍ଡରୁ ଶବ ଉଠିବ । ସୂଚନା ଅନୁସାରେ ରାଜନଗର ମହୁଲିଆ ପଂଚାୟତ ମାଣପଡା ଗାଁର ପତିତପାବନ ନାଥଙ୍କ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗ ହୋଇଛି । ପତିତପାବନଙ୍କ ସ୍ତ୍ରୀ ପ୍ରମିଳା ୧୯ ତାରିଖରୁ ନିଖୋଜ ଥିଲେ । ପରଦିନ ତାଙ୍କ ମୃତଦେହ ହଂସୁଆ ନଦୀରୁ ମିଳିଥିଲା । ସେହିପରି ତାଙ୍କ ଝିଅ ସତ୍ୟପ୍ରିୟାଙ୍କର ମୃତଦେହ ଗାଁର ଏକ ପୋଖରୀରୁ ମିଳିଥିଲା ।

ଆଶ୍ଚର୍ଯ୍ୟର କଥା ହେଉଛି ସତ୍ୟପ୍ରିୟାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପେଟରେ ୮ ମାସର ଶିଶୁ ଥିବା ଜଣାପଡିଥିଲ। । ଦୁହିଁଙ୍କ ଶବ ବ୍ୟବଛେଦ ପରେ ସଂପର୍କୀୟ ମୃତଦେହ ଦୁଇଟିକୁ ନେଇ ପତିତପାବନଙ୍କ ଘର ଦୁଆର ମୁହଁରେ ଥୋଇ ଦେଇ ଆସିଥିଲେ । ହଠାତ୍ ନିଖୋଜ ହୋଇଯିବା ଓ ପରେ ମୃତଦେହ ମିଳିବା ବଡ ସନ୍ଦେହ ସୃଷ୍ଟି କରିଛି । ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଗ୍ରାମବାସୀ ଶବ ସକ୍ରାର କରିବାକୁ ମନା କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି । ହେଲେ ଏ ଯାଏଁ କାହାରିକୁ ଗିରଫ କରାଯାଇନଥିବାରୁ ହତ୍ୟାକାରୀର ଗିରଫ ଦାବିରେ ଜିଦରେ ଅଡି ବସିଛନ୍ତି ଗ୍ରାମବାସୀ ।