କନ୍ଧମାଳ ଜୋକୋକରଡା ଜଙ୍ଗଲରୁ ନୟାଗଡ ନୂଆ ଗାଁର ନାବାଳିକାଙ୍କ ମୃତଦେହ ଉଦ୍ଧାର: ଜଣେ ବିବାହିତ ଯୁବକଙ୍କୁ ଭଲ ପାଉଥିଲେ ଯୁବତୀ
କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଜୋକୋ କରଡା ଜଙ୍ଗଲରୁ ମାଟି ତଳୁ ନାବାଳିକାର ମୃତଦେହ ଉଦ୍ଧାର କଲା ପୋଲିସ । ନୟାଗଡ ଜିଲ୍ଲା ନୂଆଗାଁ ଥାନା ଓ ଫିରିଙ୍ଗିଆ ଥାନାର ପୋଲିସର ମିଳିତ ଟିମ ୧୭ ବର୍ଷ ବୟସ୍କ ନାବାଳିକାର ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗାଁର ବିପ୍ରବର ନାୟକଙ୍କ ଝିଅ ତୁଳସୀ ନାୟକ ବୋଲି ଜଣାପଡିଛି । ଏହି ମାମଲାରେ ନାବାଳିକାର ଦୁଇ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅନ୍ୟପଟେ ନାବାଳିକାର ବାପା ବିପ୍ରବର ନାୟକ ଫେରାର ହୋଇଯାଇଛି । ଜଣେ ବିବାହିତ ଯୁବକଙ୍କୁ ନାବାଳିକା ଭଲ ପାଉଥିବା ଜାଣିବା ପରେ ପିଟି ପିଟି ପରିବାର ଲୋକେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସୂଚନା ଅନୁସାରେ ଜଣେ ବିବାହିତ ଯୁବକକୁ ମୃତ ନାବାଳିକା ଜଣକ ଭଲ ପାଉଥିଲେ । ଏହା ଜାଣିବା ପରେ ତୀବ୍ର ବିରୋଧ କରି ନାବାଳିକାକୁ ନିସ୍ତୁକ ମାଡ ମାରିଥିଲେ ପରିବାର ଲୋକେ । ଏହାପରଠୁ ନାବାଳିକା ନିଖୋଜ ହୋଇଯାଇଥିବା ଖବର ପାଇ ନୂଆଗାଁ ଥାନା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପ୍ରଥମେ ନାବାଳିକାର ଦୁଇ ଭାଇଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବାରୁ ନାବାଳିକାର ମୃତ୍ୟୁ ଖବର ଜାଣିଥିଲା ପୋଲିସ । ଏହାପରେ ତାଙ୍କ ସୂଚନା ଆଧାରରେ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି । ଅଟକ ଦୁଇ ଭାଇ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ନାବାଳିକାକୁ ପରିବାରର ସମ୍ମାନ ପାଇଁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।