କନକ ବ୍ୟୁରୋ: ଜେଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ ବାସଭବନରୁ ବୌଦ୍ଧ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ଫ୍ୟାନରେ ମୃତଦେହଟି ଝୁଲୁଥିବା ଅବସ୍ଥାରେ ମିଳିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ୩୨ ବର୍ଷିୟ ପ୍ରଦୀପ ଗତକାଲି ମଧ୍ୟାହ୍ନରେ ଅଫିସ କାମ ସାରି ମଧ୍ୟାହ୍ନ ଭୋଜନ କରି ନିଜ କ୍ୱାର୍ଟର୍ସକୁ ଯାଇଥିଲେ । ଅପରାହ୍ଣରେ ଆଉ ଆସିନଥିଲେ । ରାତି ଯାଏଁ ପ୍ରଦୀପ ଅଫିସକୁ ନଯିବାରୁ ଅଫିସର କର୍ମଚାରୀମାନେ ତାଙ୍କ ବାସଭବନକୁ ଯାଇଥିଲେ । ଘର ଭିତର ପଟୁ ବନ୍ଦ ଥିବା ବେଳେ ବାରମ୍ବାର ଡାକିବା ପରେ ବି କବାଟ ଖୋଲିନଥିଲା । ଫଳରେ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଥିଲା । ଦୁଇ ଜଣ କର୍ମଚାରୀ ଘରର ପଛପଟ କବାଟ ଭାଙ୍ଗି ଭିତରକୁ ଯାଇ ଜେଇଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପୁଲିସ ଘଟଣା ସଂପର୍କରେ ତଦନ୍ତ କରୁଛି । ମୃତ ଜେଇ ପ୍ରଦୀପ ଘୋଷଙ୍କ ଘର ବାରିପଦାରେ । ସେ ବୌଦ୍ଧ ଇରିଗେସନ୍ କଲୋନୀରେ ସରକାରୀ ବାସଭବନରେ ଏକୁଟିଆ ରହୁଥିଲେ । ତେବେ ବେଳେ ବେଳେ ମାନସିକ ସ୍ତରରେ ଅଶାନ୍ତ ଥିଲେ । ତେବେ ସରକାରୀ କାର୍ଯ୍ୟକୁ ସୁଚାରୂପେ ତୁଲାଉଥିଲେ । ତେବେ ମାନସିକ ବିକୃତି କାରଣରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।