କନକ ବ୍ୟୁରୋ : କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କି ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ଗୁଳିବିନିମୟରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ୍ ହୋଇଥିଲେ। ୨ ଜଣଙ୍କ ହେଉଛନ୍ତି, କିଶୋରନଗର ଥାନା ଅଙ୍ଗପଡ଼ା ଗାଁର ଏସ୍ଓଜି ଯବାନ ଦେବାଶିଷ ସେଠୀ(୨୭) ଓ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡ଼ା ପଞ୍ଚାୟତ ଅନ୍ତର୍ଗତ ସାନଭଦୁଆ ଗ୍ରାମର ସୁଧୀର କୁମାର ଟୁଡୁ (୨୮)। ଦୁହିଁଙ୍କ ମୃତ୍ୟୁରେ ନିଜନିଜ ଜନ୍ମମାଟିରେ ଶୋକର ଛାୟା ଖେଳିଯାଇଛି। ଦେବାଶିଷଙ୍କ ବନ୍ଧୁବତ୍ସଳତା, ସାହସିକତାକୁ ଗ୍ରାମବାସୀ ଝୁରୁଥିବାବେଳେ ଗ୍ରାମବାସୀ ବି ସହିଦ୍ ପୁଅ ପାଇଁ ସୁଧୀରଙ୍କ ଗାଁ ଲୋକ ଲୁହ ଗଡ଼ାଉଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାତି ସାଢ଼େ ୮ଟାବେଳେ ତାଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ବହୁ ଲୋକ ଲୁହଭରା ଆଖିରେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ମରଶରୀର ପହଞ୍ଚିବା ପରେ ଜ୍ଞାତିକୁଟୁମ୍ବ ତଥା ସାଥୀସହୋଦରଙ୍କ କାନ୍ଦବୋବାଳିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ‘ଦେବାଶିଷ ଅମର ରହେ , ‘ଆମ ମାଟିର ଗୌରବ ଦେବାଶିଷ, ତୁମକୁ ଶହେ ସଲାମ ଆଦି ଧ୍ୱନିରେ ସମଗ୍ର ଅଂଚଳ ଉଛୁଳି ଉଠିଥିଲା। ଅଙ୍ଗପଡ଼ା ଗାଁର ସନାତନ ସେଠୀଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ବଡ଼ପୁଅ ହେଉଛନ୍ତି ଦେବାଶିଷ। ଦେବାଶିଷ ୮ ବର୍ଷ ହେଲା ଏସ୍ଓଜି ଯବାନ ଭାବେ କାର୍ଯ୍ୟ କରୁଥିଲେ। ପ୍ରଥମେ ସେ ରାଉରକେଲାରେ ନିଯୁକ୍ତି ପାଇଥିଲେ।
ଚାକିରି ପରେ ପରିବାରର ମୁଖ୍ୟ ଅବଲମ୍ବନ ପାଲଟିଥିଲେ ଦେବାଶିଷ। ରୋଜଗାରିଆ ପୁଅକୁ ହରାଇ ବାପା, ମାଆ ବାରମ୍ବାର ଚେତାଶୂନ୍ୟ ହୋଇପଡୁଛନ୍ତି। ଜଣେ ଦକ୍ଷ ପୁଲିସ ଯବାନ ଭାବେ ଗତବର୍ଷ ସେ କଳାହାଣ୍ଡି ପୁଲିସ ଅଧୀକ୍ଷକଙ୍କଠାରୁ ପଦକ ଲାଭ କରିଥିଲେ। ୮ ମାସ ତଳେ ଗାଁକୁ ଆସି ୫ ଦିନ ରହି ଫେରିଥିଲେ। ୩ ଦିନ ତଳେ ଗାଁର ଜଣେ ସାଙ୍ଗଙ୍କୁ ଫୋନ୍ କରି ଅଞ୍ଚଳର ଭଲମନ୍ଦ କଥା ପଚାରି ବୁଝିଥିଲେ। ତାଙ୍କର ପରଲୋକ ଖବର ପାଇବା ପରେ ଗ୍ରାମବାସୀ ଶୋକାକୁଳିତ ହୋଇପଡ଼ିଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ଓ ପୂର୍ବତନମନ୍ତ୍ରୀ ସଂଜୀବ ସାହୁ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସକାଳେ ତାଙ୍କ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଆଠମଲ୍ଲିକ ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା ସୂଚନା ଦେଇଛନ୍ତି। କଳାହାଣ୍ଡି ପୁଲିସ ପ୍ରଶାସନ ପକ୍ଷରୁ ସହିଦଙ୍କ ପରିବାରକୁ ୭୦ ହଜାର ଟଙ୍କାର ସହାୟତା ଦିଆଯାଇଥିବା ଶ୍ରୀ ଉଦ୍ଗାତା ପ୍ରକାଶ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/jawan-d.jpg)