ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା

79

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ଶବ କୁଅରୁ ଉଦ୍ଧାର ପରେ ତାତିଲେ ଗ୍ରାମବାସୀ । ହତ୍ୟା ଅଭିଯୋଗ ଆଣି ପ୍ରତିବାଦରେ କାମାକ୍ଷାନଗର ବାଇସିଂଗା ଠାରେ ୫୩ ନଂବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ତାଳଗୋରଡ଼ ଗ୍ରାମର ଅଦୈତ ନାୟକ ନାମକ ଜଣେ ଯୁବକଙ୍କ ମୃତଦେହ ଗତକାଲି ଅପରାହ୍ନରେ ରାସ୍ତା କଡର ଏକ କୁଅରୁ ଦମକଳ ବାହୀନି ଉଦ୍ଧାର କରିଥିଲା ।

ଟେଂଟ ହାଉସରେ ଶ୍ରମିକ ଭାବେ କାମ କରୁଥିବା ଅଦୈତଙ୍କ ମୃତ୍ୟୁ କେମିତି ହେଲା ଏହାକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏପଟେ ହତ୍ୟା ଅଭିଯୋଗ ଆଣିିଛନ୍ତି ଗ୍ରାମବାସୀ । ରାସ୍ତା ରୋକ୍ ଫଳରେ କାମାକ୍ଷାନଗରରୁ ଭୁବନ ରୁଟରେ ଜାତୀୟ ରାଜପଥରେ ଦୀର୍ଘ ଘଂଟା ଗାଡି ଚଳାଚଳ ବ୍ୟାହତ ହୋଇଛି । ଲୋକଙ୍କୁ ବୁଝାସୁଝା କରି ରାସ୍ତା ରୋକ୍ ପ୍ରତ୍ୟାହାର ଉଦ୍ୟମ କରୁଛି ପୋଲିସ ।