ସିକ୍କିମରେ କମିଛି ବନ୍ୟା, ହେଲେ କମୁନି ଯନ୍ତ୍ରଣା: ବାଙ୍ଗଲାଦେଶରୁ ମିଳୁଛି ବନ୍ୟା ସ୍ରୋତରେ ଭାସିଯାଇଥିବା ଲୋକଙ୍କ ଶବ

180

କନକ ବ୍ୟୁରୋ: ସିକ୍କିମରେ ତାଣ୍ଡବ ରଚିଛି ବନ୍ୟା । ମଙ୍ଗଳବାର ରାତିରେ ଦକ୍ଷିଣ ସକ୍କିମର ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିବା ଯୋଗୁଁ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ପରେ ବନ୍ୟାପାଣିର ପ୍ରଖର ସ୍ରୋତରେ ୨୩ଜଣ ଯବାନଙ୍କ ସମେତ ଶତାଧିକ ଲୋକ ଭାସିଯାଇଥିଲେ । ଏବେ ସୁଦ୍ଧା ୪୦ରୁ ଅଧିକ ମୃତଦେହ ଉଦ୍ଧାର କରାଗଲାଣି । ସେପଟେ ବନ୍ୟା ଓ କାଦୁଆ ପାଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ସେନା । ବର୍ଷା ଯୋଗୁଁ ସ୍ଥଳଭାଗରେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛ ତେଣୁ ବାୟୁସେନା ସାହାଯ୍ୟ ନିଆଯାଇଛି । ବନ୍ୟା ପାଣିରେ ଭାସିଥିବା ଲୋକଙ୍କ ମୃତଦେହ ପଡୋଶୀ ଦେଶ ବାଙ୍ଗଲାଦେଶରୁ ମଧ୍ୟ ମିଳୁଥିବା ସୂଚନା ରହିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ପ୍ରାୟ ୮ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଅସ୍ଥାୟୀ ଶିବିରରେ ରଖାଯାଇଛି । ୧୩ଟି ପୋଲ ଭୁଡୁଡିବା ସହ ୮ଟି ପୋଲ ଭାସିଯାଇଛି । ୨୨ହଜାରରୁ ଅଧିକ ଲୋକପ୍ରଭାବିତ ହୋଇଛନ୍ତି । ତେବେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ୨୦୧୫ ମସିହାରେ କେନ୍ଦ୍ରୀୟ ଜଳ ଆୟୋଗ ବା ସିଡବ୍ଲୁସି ଏକ ଅଧ୍ୟୟନ କରିଥିଲା । ଯେଉଁଥିରେ କୁହାଯାଇଥିଲା ତିସ୍ତା ନଦୀରେ ନିର୍ମିତ ଜଳବିଦ୍ୟୁତ ପ୍ରକଳ୍ପ ଯୋଗୁଁ ବିପଦ ଆସିପାରେ । ଏନେଇ ରାଜ୍ୟ ସରକାରଙ୍କୁ ସତର୍କ ମଧ୍ୟ କରାଯାଇଥିଲା । ସେପଟେ ଶନିବାର ମାଙ୍ଗନ, ଗ୍ୟାଙ୍ଗଟକ, ପକ୍ୟୋଙ୍ଗ, ନାମଚି ବନ୍ୟା ପ୍ରଭାବିତ ଜିଲ୍ଲାରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ।