କୁଏତରୁ ଫେରିଲା ୨ ଓଡ଼ିଆଙ୍କ ମୃତଦେହ: ଶ୍ରଦ୍ଧାଞ୍ଜଳି ଜଣାଇଲେ ଦୁଇ ଉପ-ମୁଖ୍ୟମନ୍ତ୍ରୀ

117

କନକ ବ୍ୟୁରୋ: କୁଏତ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ସର୍ବସ୍ୱ ହରାଇଛନ୍ତି ଓଡିଶାର ଦୁଇ ପରିବାର । ଅଗ୍ନିକାଣ୍ଡରେ କଟକର ମହମ୍ମଦ ଜହୁର ଏବଂ ଗଞ୍ଜାମର ସନ୍ତୋଷ ଗୌଡ ମୃତ୍ୟୁ ହୋଇଛି । ଆଜି ସ୍ୱତନ୍ତ୍ର ବିମାନରେ ଓଡିଶା ଫେରିଛି ମୃତଦେହ । ଗାଁରେ ମରଶରୀର ପହଂଚିବା ପରେ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

ପରିବାର ପାଇଁ ରୋଜଗାର ଆଶାରେ ଭିଟାମାଟି ଛାଡିଥିଲେ । କିନ୍ତୁ ବିଦେଶରୁ ଭିଟମାଟିକୁ ତାଙ୍କ ମୃତଦେହ ଫେରିଛି । କୁଏତରୁ ସ୍ୱତନ୍ତ୍ର ବିମାନରେ ଓଡିଶା ଆସିିଲା ୨ ଓଡ଼ିଆଙ୍କ ମୃତଦେହ । ମୃତକ ଦୁଇ ଓଡିଆ ହେଉଛନ୍ତି କଟକର ମହମ୍ମଦ ଜହୁର ଏବଂ ଗଞ୍ଜାମର ସନ୍ତୋଷ ଗୌଡ । ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଂଚିବା ପରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ କାମଚଳା ବାଚସ୍ପତି ଶ୍ରଦ୍ଧାଂଜଳି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ଘୋଷଣା କରାଯାଇଛି ।

କଟକ ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀରେ ପହଂଚିଛି ମହମ୍ମଦ ଜହୁରଙ୍କ ପାର୍ଥୀବ ଶରୀର । ଆତ୍ମୀୟସ୍ୱଜନଙ୍କ କାନ୍ଦବୋବାଲିରେ ଶୋକାକୂଳ ହୋଇପଡିଛି ପରିବେଶ । ବାସଭବନରେ ମହମ୍ମଦ ଜହୁରଙ୍କ ଶେଷ ଦର୍ଶନ କରିଛନ୍ତି ବନ୍ଧୁ ପ୍ରିୟଜନ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଅସ୍ଥାୟୀ ବାଚସ୍ପତି ରାଜା ସ୍ୱାଇଁ । ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବନ୍ଧନରେ ବାନ୍ଧି ହୋଇଥିଲେ ମହମ୍ମଦ ଜହୁର । ଜହୁରଙ୍କ ପତ୍ନୀ ଏବେ ୭ ମାସର ଗର୍ଭବତୀ । କୋଳମଣ୍ଡନ କରିବାକୁ ଥିବା ପ୍ରଥମ ଶିଶୁକୁ ଦେଖିବା ଆଗରୁ ଆରପାରିକୁ ଚାଲିଯାଇଛନ୍ତି ଜହୁର ।

ଖଲ୍ଲିକୋଟରେ ପହଂଚିଲା ସନ୍ତୋଷଙ୍କ ମୃତଦେହ । ପାର୍ଥୀବ ଶରୀର ଗାଁରେ ପହଂଚିବେଲା କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ । ସନ୍ତୋଷଙ୍କ ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ । ସନ୍ତଷଙ୍କ ବିୟୋଗକୁ ପରିବାର ଲୋକ ଗ୍ରହଣ କରିପାରୁ ନାହାନ୍ତି । ଗାଁରେ ପହଂଚି କ୍ୟାବିନେଟ ମନ୍ତ୍ରୀ ବିଭୂତି ଜେନା ଓ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କୁଏତରେ ଅଗ୍ନିକାଣ୍ଡରେ ଓଡିଶାର ଦୁଇଟି ପରିବାର ସର୍ବସ୍ୱ ହରାଇଛନ୍ତି । ଘରର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ମହମ୍ମଦ ଜହୁର ଓ ସନ୍ତୋଷ ଗୌଡଙ୍କ ପରିବାର ।