ସେପ୍ଟେମ୍ବର ୨୨ ଯାଏଁ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିପାରିବନି ବିଏମସି । ରୋକ ଲଗାଇଲେ ବମ୍ବେ ହାଇକୋର୍ଟ : ଏହି ଅବଧିରେ ନୋଟିସର ଉତର ରଖିବେ କଙ୍ଗନା

311

କନକ ବ୍ୟୁରୋ : ସେପ୍ଟେମ୍ବର ୨୨ ଯାଏଁ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିପାରିବନି ବିଏମସି । ଆଜି କଙ୍ଗନାଙ୍କ ଆବେଦନ ଉପରେ ଶୁଣାଣି କରି ଅବୈଧ ନିର୍ମାଣ ଉଚ୍ଛେଦ ଉପରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ । ଏହି ଅବଧିରେ କୋର୍ଟରେ ନିଜ ପ କ୍ଷ ରଖିବେ ଅଭିନେତ୍ରୀ କଙ୍ଗନା ରଣାୱତ ।  ମହାରାଷ୍ଟ୍ରରେ ଚାଲିଥିବା କଙ୍ଗନା ବନାମ ଶିବସେନା ବିବାଦ କେଉଁ ମୋଡ ନେବ ତାହା ଆଗାମୀ ଶୁଣାଣିରେ ସ୍ପଷ୍ଟ ହୋଇପାରେ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି କଙ୍ଗନାଙ୍କ ବିରୋଧରେ ମୁମ୍ବାଇର ବିକ୍ରୋଲି ଥାନାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗକାରୀ ଏତଲାରେ ଦର୍ଶାଇଛନ୍ତି, କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଛନ୍ତି । ଏତଲା ପାଇବା ପରେ ବିକ୍ରୋଲି ଥାନା ପୁଲିସ ମାମଲା ରୁଜୁ କରିଥିବା ଜଣାପଡିଛି । ଗତକାଲି ବିଏମସି କଙ୍ଗନାଙ୍କ ଅଫିସର ଅବୈଧ ନିର୍ମାଣ ଭାଙ୍ଗିବା ପରଠୁ ଶିବସେନା ଓ ଉଦ୍ଧବଙ୍କୁ ଶାଣିତ ଭାଷଣାରେ ସମାଲୋଚନା କରୁଛନ୍ତି । ଆଜି ଉଦ୍ଧବଙ୍କୁ ବଂଶବାଦର ନମୂନା ଓ ଶିବସେନାକୁ ସୋନିଆଙ୍କ ସୋନା ଭଳି ଟିପ୍ପଣୀ କରିଛନ୍ତି । କଙ୍ଗନା ଓ ଶିବସେନା ବିବାଦ ଭିତରେ ଏବେ ମାହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କିଶ୍ୟୋରୀଙ୍କ ଏଂଟ୍ରି ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅଜେୟ ମହେତାଙ୍କ ସହ କଙ୍ଗନା ବିବାଦ ନେଇ ବିସ୍ତୃତ ଚର୍ଚା କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟପାଳ ଭଗତସିଂ କିଶ୍ୟୋରୀ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେବେ ବୋଲି ଶୁଣିବାକୁ ମିଳୁଛି ।