ଦିବ୍ୟାଙ୍ଗ ହେଲେ ଦହଙ୍ଗଜ: ହକ୍ ମାଗି ହେଉଛନ୍ତି ହତାଦର? ଧାରଣା ସ୍ଥଳରୁ ଉଠାଇ ନେଇଥିଲା ପ୍ରଶାସନ

120

କନକ ବ୍ୟୁରୋ: ହକ ମାଗିଲେ ବିଏମସି କରୁଛି ହତାଦର । ଦିବ୍ୟାଙ୍ଗ ବି ଏଥିରୁ ବାଦ ପଡୁନାହାନ୍ତି । ପୁଲିସ ମାମଲା ରୁଜୁ କରୁନଥିବା ଦାବି କରି ଖାରବେଳ ନଗର ଥାନା ଆଗରେ ଦିବ୍ୟାଙ୍ଗ ଧାରଣା ଦେଇଥିଲେ । ହେଲେ ବିଏମସି ଟିମ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବଳପୂର୍ବକ ଉଠାଇନେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସ୍ଥାୟୀ ଭୋଣ୍ଡିଂ ଜୋନ ଦାବିରେ ଦିବ୍ୟାଙ୍ଗ ଆନ୍ଦୋଳନ କରୁଛନ୍ତି ।

ଖାରବେଳ ନଗର ଥାନା ଆଗରେ ଦିବ୍ୟାଙ୍ଗଙ୍କ ଧାରଣା । ପୁଲିସ୍ ସେମାନଙ୍କ ମାମଲା ରୁଜୁ କରୁନଥିବା ଅଭିଯୋଗ ଆଣି, ବିରୋଧ ପ୍ରଦର୍ଶନ କରୁଛନ୍ତି ଦିବ୍ୟାଙ୍ଗ ବ୍ୟବସାୟୀ । ସୂଚନା ଅନୁସାରେ, ସ୍ଥାୟୀ ଭେଣ୍ଡିଂ ଜୋନ ଦାବିରେ ବିଏମସି ଅଫିସ ଆଗରେ ଏମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ହେଲେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଉଠାଇନେଇଥିଲା ବିଏମସି ଏନଫୋର୍ସମେଂଟ ଟିମ୍ । ବଳପୂର୍ବକ ଉଠାଇ ନେବା ସହ ଏନଫୋର୍ସମେଂଟ ଟିମ୍ ଦୁର୍ବବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ଦିବ୍ୟାଙ୍ଗ ବ୍ୟବସାୟୀ ।

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯିବା ବେଳେ ଦୃଷ୍ଟିବାଧିତ ବ୍ୟବସାୟୀମାନେ ମଧ୍ୟ ବେଉସା ହରାଇଥିଲେ । ସେମାନଙ୍କ କହିବା କଥା, ସ୍ଥାୟୀ ଭେଣ୍ଡିଂ ଜୋନ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଅସ୍ଥାୟୀ ଭାବେ ଦୋକାନ ପାଇଁ ଯେଉଁ ଜାଗା ଦିଆଯାଇଥିଲା, ସେଠାରେ ଅସାମାଜିକ ଲୋକ ଆଡ୍ଡା ଜମୁଥିବାରୁ ବ୍ୟବସାୟ ହୋଇ ନଥିଲା । ଫଳରେ ସ୍ଥାୟୀ ଭେଣ୍ଡିଂ ଜୋନ୍ ପାଇଁ ଦାବି କରି ଆସୁଛନ୍ତି ଦୃଷ୍ଟିବାଧି୍ତ ବ୍ୟବସାୟୀ ।

ତେବେ ବିଏମସି କମିସନର କହିଛନ୍ତି, ଏମାନଙ୍କ ଦାବି ନେଇ ବିଚାର କରୁଛି ବିଏମସି । ଜନଗହଳିପୂର୍ଣ୍ଣ ଅଂଚଳରେ ବ୍ୟବସାୟ କରିବାକୁ ସେମାନେ ଚାହୁଁଥିବାରୁ ଏ ନେଇ ଆଲୋଚନା ଚାଲିଛି । ଶୀତ କାକରେରେ ଧାରଣା ଦେଇଥିବାରୁ ସେମାନଙ୍କୁ ସେଲଟର ହୋମରେ ଛଡ଼ାଯାଇଥିଲା ବୋଲି କହିଥିଲେ କମିସନର । ତେବେ ଦିବ୍ୟାଙ୍ଗ ଦାବି ଉପରେ କେବେ ପଡ଼ୁଛି ପୁଲିସ ଓ ପ୍ରଶାସନର ନଜର ଦେଖିବାକି ରହିଲା ।