ମୁମ୍ବାଇସ୍ଥିତ କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର । ହାଇକୋର୍ଟଙ୍କ ରହିତାଦେଶ ଆସିବା ଆଗରୁ କାର୍ଯ୍ୟାଳୟ ଭାଙ୍ଗି ଚାଲିଗଲେ କର୍ମଚାରୀ

291

କନକ ବ୍ୟୁରୋ : ଉଦ୍ଧବ ସରକାରଙ୍କ ସହ ମୁହାଁ ମୁହିଁ ହେବା କଙ୍ଗନାଙ୍କୁ ମହଙ୍ଗା ପଡିଛି । ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ୱାଇରେ ପହଁଚିବା ଆଗରୁ ତାଙ୍କ ମୁମ୍ୱାଇ ସ୍ଥିତ ଅଫିସର ବେଆଇନ୍ ନିର୍ମାଣ ଉପରେ ଚାଲିଛି ବିଏମସି ବୁଲଡୋଜର । ବେଆଇନ୍ ନିର୍ମାଣ ଅଭିଯୋଗ ନେଇ ନୋଟିସ୍ କରିବା ପରେ ପରେ ଏହାକୁ ଭାଙ୍ଗି ଦେଇଛି ବିଏମସି ଟିମ୍ । ଏହାର ବିରୋଧରେ କରି କଙ୍ଗନା ରଣାୱତ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟଙ୍କ ଉଚ୍ଛେଦ ଉପରେ ରହିତଦେଶ ଆସିବା ଆଗରୁ ବିଏମସି କର୍ମଚାରୀ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗି ଚାଲି ଯାଇଥିଲେ ।

ମୁମ୍ୱାଇ ଆସୁଥିବା ବେଳେ କଙ୍ଗନା ଏହି ଉଚ୍ଛେଦ ଖବର ପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟୁଇଟ୍ କରି କହିଛନ୍ତି ଏହା ଜରିଆରେ ତାଙ୍କର ଶତ୍ରୁ ବାରମ୍ୱାର ପ୍ରମାଣ ଦେଉଛନ୍ତି ଯେ ମୁମ୍ୱାଇ ହେଉଛି ପିଓକେ । ଏହା ସହିତ ସେ ବିଏମସି ଟିମକୁ ବାବର ସେନା ବୋଲି କହି କଡା ଆକ୍ଷେପ କରିଛନ୍ତି । ଏହା ସହିତ ସ୍ପଷ୍ପ କରିଛନ୍ତି ଏହି ମନ୍ଦିର ପୁଣି ଥରେ ତିଆରି ହେବ । ବିଏମସିର ଏପରି କାମ ପରେ ସେ ଅଧିକରୁ ଅଧିକ ଶକ୍ତ ହୋଇ ଲଢେଇ କରିବେ । ମହାରାଷ୍ଟ୍ରର ଗୌରବ ରକ୍ଷା ଦିଗରେ କାମ କରିଚାଲିବେ । ବିଏମସି ଅଧିକାରୀଙ୍କ ଅଭିଯୋଗ ଅନୁସାରେ କଙ୍ଗନାଙ୍କ ଅଫିସର ଗ୍ରାଉଣ୍ଡ ଫ୍ଲୋର ଏବଂ ପ୍ରଥମ ଫ୍ଲୋରରେ ଅନେକ ଅବୈଧ ନିର୍ମାଣ କରାଯାଇଥିଲା । ବିନା ଅନୁମତିରେ ନିର୍ମାଣ କରାଯାଇଥିବାରୁ ଏହାକୁ ଭାଙ୍ଗି ଦିଆଯାଇଛି ।

କଙ୍ଗନାଙ୍କ କୋଭିଡ୍ ଟେଷ୍ଟର ଦ୍ୱିତୀୟ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି କଙ୍ଗନା ହିମାଚଳରୁ ମୁମ୍ୱାଇ ଆସିଛନ୍ତି । ପୂର୍ବରୁ କଙ୍ଗନା ମୁମ୍ୱାଇକୁ ପିଓକେ ଏବଂ ମୁମ୍ୱାଇ ପୋଲିସକୁ ତାଲିବାନ୍ ସହିତ ତୁଳନା କରିବା ପରେ ତାଙ୍କୁ କଟାକ୍ଷ କରିଥିଲେ ଶିବସେନା ସାଂସଦ ସଂଜୟ ରାଉତ । ଏହା ପରେ କଙ୍ଗନା ସୁରକ୍ଷା ମାଗିବା ପରେ ତାଙ୍କୁ ୱାଇ କାଟାଗୋରୀ ସିକୁରିଟି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।