ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକବକ୍ସ । ସାମ୍ନାକୁ ଆସିବ ଦୁର୍ଘଟଣା ପଛର କାରଣ । ସେପଟେ ସଂସଦରେ ପୂରା ଘଟଣା କହିଲେ ରାଜନାଥ ସିଂହ…

251

କନକ ବ୍ୟୁରୋ: ସେନାର ବିମାନ ଯୋଗେ ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ମରଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯେତେବେଳେ ରାଜ୍ୟସଭାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ନେଇ ବିବୃତ୍ତି ରଖୁଥିଲେ, ଶାସକ ଦଳ ସାଂସଦ ହୁଅନ୍ତୁ କି ବିରୋଧୀ ସାଂସଦ, ସମସ୍ତେ ଅତି ଧ୍ୟାନର ସହ ଏହାକୁ ଶୁଣୁଥିଲେ । କାରଣ ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗରେ ବିବୃତ୍ତି ରଖୁଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଯେଉଁ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ଘଟିଲା, ସେହି ପ୍ରସଙ୍ଗରେ ସଂସଦକୁ ଅବଗତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ…

  • ବୁଧବାର ୧୧ଟା ୪୮ରେ ସୁଲୁର ଏୟାରବେସରୁ ଉଡ଼ାଣ ଆରମ୍ଭ କରିଥିଲା ବାୟୁସେନା ହେଲିକପ୍ଟର
  • ୱେଲିଂଟନ ସ୍ଥିତ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜରେ ପହଁଚିବାର ଥିଲା
  • ହେଲିକପ୍ଟରରେ ମୋଟ୍ ୧୪ ଜଣ ଥିଲେ, ଦିନ ୧୨ଟା ୧୫ ସୁଦ୍ଧା ଗନ୍ତବ୍ୟ ସ୍ଥଳରେ ପହଁଚିବାର ଥିଲା
  • ୧୨ଟା ୮ ମିନିଟରେ ଏୟାର ଟ୍ରାଫିକ କଂଟ୍ରୋଲ ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା
  • କୁନ୍ନୁର ଜଙ୍ଗଲ ନିକଟରେ ନିଆଁ ଜଳୁଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ
  • ନିଆଁ ଜଳୁଥିବା ଜାଗାକୁ ଯାଇ ସେମାନେ ଦୁର୍ଘଟଣାଗ୍ରସ୍ଥ ହେଲିକପ୍ଟରକୁ ଦେଖିବାକୁ ପାଇଥିଲେ

ଏହି ଭୟାନକ ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ୍ ମୋଟ୍ ୧୩ ଜଣଙ୍କ ଜୀବନ ଯାଇଛି । ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଏୟାର ମାର୍ଶଲ ମାନଭେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ସିଂହ । ସଂସଦରେ ସିଡିଏସ୍ ବିପିନ ରାୱତ ଓ ଅନ୍ୟ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଦୁର୍ଘଟଣାର ଖବର ଯେତେବେଳେ ସାମ୍ନାକୁ ଆସିଲା, ସେତେବେଳେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଥିଲା, ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଓ ସବୁଠୁ ସୁରକ୍ଷିତ କୁହାଯାଉଥିବା ଏମଆଇ-୧୭ ହେଲିକପ୍ଟର କେମିତି ଦୁର୍ଘଟଣାର ଶିକାର ହେଲା? ଏବେ ବ୍ଲାକବକ୍ସ ମିଳିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବାର ସମ୍ଭାବନା ରହିଛି । ତେବେ କେତେ ଦିନ ଭିତରେ ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ କହିବା କଷ୍ଟକର । କାରଣ, ବ୍ଲାକବକ୍ସରୁ ସଂପୂର୍ଣ୍ଣ ତଥ୍ୟ ବାହାର କରିବା ଯେତିକି କଷ୍ଟକର, ସେତିକି ସମୟ ସାପେକ୍ଷ ।

ତେବେ କିଛି ଦିନ ଭିତରେ ଦୁର୍ଘଟଣା ନେଇ ପ୍ରାଥମିକ ତଥ୍ୟ ମିଳିବା ଆଶା ରହିଛି । ଅନ୍ୟପଟେ ଦୁର୍ଘଟଣାରେ ମୃତ ବୀର ଯବାନଙ୍କ ପାର୍ଥିବ ଶରୀରକୁ ମିଲିଟାରୀ ହସ୍ପିଟାଲରୁ ମାଡ୍ରାସ ରେଜିମେଣ୍ଟକୁ ଅଣାଯିବା ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶୁକ୍ରବାର ଦିନ ଦିଲ୍ଲୀରେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ।