କନକ ବ୍ୟୁରୋ: ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି । କର୍ଣ୍ଣାଟକ ଓ ରାଜସ୍ଥାନରେ ଧାର୍ଯ୍ୟ ନିୟମ ଅନୁସାରେ ଭୋଟିଂ ଓ ଭୋଟ ଗଣତି ହୋଇ ଫଳାଫଳ ସାମ୍ନାକୁ ଆସିଛି । ହେଲେ ମହାରାଷ୍ଟ୍ର ଓ ହରିଆଣାରେ ନିୟମ ଉଲ୍ଲଂଘନର ଅଭିଯୋଗ ହେବାରୁ ଗଣତି ପ୍ରକ୍ରିୟାରେ ଦେଖିବାକୁ ମିଳିଥିଲା ଜବରଦସ୍ତ ହଙ୍ଗାମା । ଭୋଟ ଗଣତି ସନ୍ଧ୍ୟା ୫ଟାରେ ହେବାକୁ ଥିବାବେଳେ ପ୍ରାୟ ୯ ଘଣ୍ଟାର ବିଳମ୍ବ ହୋଇ ଫଳାଫଳ ରାତି ୨ଟା ପରେ ସାମ୍ନାକୁ ଆସିଛି ।

Advertisment
  • ରାଜ୍ୟସଭା ନିର୍ବାଚନବେଳେ ହାଇଭୋଲଟେଜ୍ ଡ୍ରାମା
  • ୯ଘଣ୍ଟା ବିଳମ୍ବରେ ହେଲା ଭୋଟ ଗଣତି

ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଓ ହରିଆଣାର ୧୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଫଳାଫଳ ଆସିଯାଇଛି । ରାଜସ୍ଥାନରେ ଯେଉଁଠି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଯାଦୁରେ କଂଗ୍ରେସ ଜବରଦସ୍ତ ପ୍ରଦର୍ଶନ କରିଛି, ସେଠାରେ ହରିଆଣାରେ କିନ୍ତୁ ନିର୍ଦଳୀୟଙ୍କ ହାଗରେ କଂଗ୍ରେସ ଫେଲ ମାରିଛି । ସେପଟେ ମହାରାଷ୍ଟ୍ରରେ ବିଜେପି ମହାବିକାଶ ଅଘାଡିକୁ ଦେଇଛି ବଡ ଝଟକା । ଆଉ କର୍ଣ୍ଣାଟକରେ ବି ବିଜେପିର ଫଳାଫଳ ଭଲ ରହିଛି ।

ଗୋଟିଏ ପଟେ ଜୟପୁର ଓ ବେଙ୍ଗାଲୁରୁରେ ଚାଲିଥିଲା ଭୋଟ ଗଣତି ତ ଅନ୍ୟପଟେ ହରିୟାଣା ଓ ମହାରାଷ୍ଟ୍ରରେ ଭୋଟ ଖାରଜ କରିବା ପାଇଁ ରାଜନୈତିକ ଦଳଗୁଡିକ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ଚକ୍କର କାଟୁଥିଲେ । ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିବା ହଙ୍ଗାମା ରାତି ଅଧ ପର୍ଯ୍ୟନ୍ତ ଚାଲିଲା ।

  • ଗେହଲଟଙ୍କ ଯାଦୁରେ ବିଜେପି ଘାଇଲା
  • ହରିୟାଣାରେ ଅଜୟ ମାକନଙ୍କୁ ଝଟକା

ରାଜସ୍ଥାନରେ କଂଗ୍ରେସ ୪ଟି ଆସନ ମଧ୍ୟରୁ ୩ଟି ସିଟ୍ ପାଇଁ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା । ତିନୋଟି ସିଟରେ ଜିତିବା ପାଇଁ ୧୨୩ ଭୋଟର ଆବଶ୍ୟକତା ରହିଥିଲା । ଗଣନା ପରେ କଂଗ୍ରେସକୁ ମୋଟ ୧୨୬ଟି ଭୋଟ ମିଳିଥିବା ସ୍ପଷ୍ଟ ହେଲା । ନିର୍ବାଚନରେ ରଣଦୀପ ସୂର୍ଯେବାଲା – ୪୩ଟି ଭୋଟ୍, ମୁକୁଲ ବାସନିକ୍ – ୪୨ଟି ଭୋଟ୍, ପ୍ରମୋଦ ତିୱାରୀ – ୪୩ଟି ଭୋଟ୍ ମିଳିଛି । ବିଜେପି ସମର୍ଥିତ ନିର୍ଦଳୀୟ ସୁଭାଷ ଚନ୍ଦ୍ରାଙ୍କୁ ୩୦ଟି ଭୋଟ୍ ମିଳିଛି । ନିର୍ବାଚନବେଳେ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ହେବାର ସମ୍ଭାବନା ଥିବାବେଳେ ବିଜେପି ତରଫରୁ କ୍ରସ୍ ଭୋଟିଂ ହୋଇଥିବା ଦେଖିବାକୁ ମିଳିଛି ।

ବିଜେପି ବିଧାୟକ ଶୋଭାରାଣୀ କୁସୱାଙ୍କ କ୍ରସ୍ ଭୋଟିଂ ଫଳରେ ସୁଭାଷ ଚନ୍ଦ୍ର ନିର୍ବାଚନ ହାରି ଯାଇଛନ୍ତି । ସେପଟେ ହରିୟାଣାରେ ନିର୍ବାଚନଠାରୁ ଆରମ୍ଭ କରି ଫଳାଫଳ ଆସିବା ପର୍ଯ୍ୟନ୍ତ ସାରା ଦିନ ହରିଆଣାରେ ହାଇ ଡ୍ରାମା ଦେଖିବାକୁ ମିଳିଛି । କାଉଟିଂ ପରେ ଗାନ୍ଧି ପରିବାରର ଘନିଷ୍ଠ ଭାବେ ଜଣାଯାଉଥିବା ନେତା ଅଜୟ ମାକନ ନିର୍ଦଳୀୟ ନେତା କାର୍ତିକେୟ ଶର୍ମାଙ୍କ ଠାରୁ ହାରି ଯାଇଛନ୍ତି ।

ସେପଟେ ମହାରାଷ୍ଟ୍ରରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଶିବସେନାକୁ ଲାଗିଥିଲା ଝଟକା । ଫଳାଫଳ ପରେ ବିଜେପିର ୩, ଶିବସେନା, ଏନସିପି ଓ କଂଗ୍ରେସର ଜଣେ ଜଣେ ସାଂସଦ ନିର୍ବାଚିତ ହୋଇଛନ୍ତି । ତେବେ କର୍ଣ୍ଣାଟକରେ ବିଜେପି ନିଜର ତିନୋଟି ଆସନରେ ବିଜୟ ହୋଇଛି । ବିଜେପିରୁ ନିର୍ମଳା ସୀତାରମଣ, ଜଗେସ୍ ଓ ଲେହର ସିରୋହା ନିର୍ବାଚନ ଜିତିଛନ୍ତି । କଂଗ୍ରେସର ଜୟରାମ ରମେଶ ବାଜି ମାରିନେଇଛନ୍ତି ।