କନକ ବ୍ୟୁରୋ : ଦୀର୍ଘ ବର୍ଷର ଅପେକ୍ଷା ପରେ, ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବାରେ ସଫଳ ହୋଇଥିବାରୁ, ଏହାକୁ ଏକ ବଡ ପ୍ରସଙ୍ଗ କରିବାକୁ ଯାଉଛି ବିଜେପି । ମୋଦୀ ସରକାରଙ୍କ ଏହି ସଫଳତାକୁ ଗାଁ ଗାଁରେ ପହଁଚାଇବାକୁ ଯୋଜନା କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗକୁ ଗାଁ ଗାଁରେ ପହଁଚାଇବାକୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ଆରମ୍ଭ ହେବ ୩୩ ପ୍ରତିଶତ ସଂରକ୍ଷଣ, ମାଆମାନେ ଯିବେ ଦିଲ୍ଲୀ । ଏହା ପବିତ୍ର ଦୁର୍ଗାପୂଜା ଅବସରରେ ମୋଦୀ ସରକାରଙ୍କ ବଡ ଉପହାର । କ୍ୟାମ୍ପେନ ମୋଡରେ ଓଡିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି ଏହି ବାର୍ତା ପହଁଚାଯିବ ।

Advertisment

ମହିଳା ସଂରକ୍ଷଣ ବିଲ ପାରିତ କରିଥିବାରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ରାଜ୍ୟ ବିଜେପିର ବହୁ ମହିଳା ନେତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ ହେବା ପରେ ଶ୍ରେୟ ନେବାକୁ ବିଜେଡି ମଧ୍ୟ ଭରପୁର ପ୍ରୟାସ କରିଛି । ତେବେ କଂଗ୍ରେସ କହିଛି, ଏସବୁ ବିଜେପିର ନିର୍ବାଚନୀ ଚାଲ୍ ।

ପୂର୍ବରୁ ବହୁ ରାଜନୈତିକ ଦଳ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଲକୁ ସଂସଦର ଉଭୟ ଗୃହରେ ପାସ କରାଇବାରେ ବିଫଳ ହୋଇଥିଲେ । ହେଲେ, ଏବେ କେନ୍ଦ୍ରର କ୍ଷମତାଶୀନ ଥିବା ମୋଦୀ ସରକାର ଏଥିରେ ସଫଳ ହୋଇଛନ୍ତି । ହେଲେ, ଲାଗୁ ହେବା ପାଇଁ ଥିବା ବିଳମ୍ବ ବ୍ୟବସ୍ଥାକୁ ନେଇ ବିବାଦ ସୃଷ୍ଟି ହୋଇଛି ।