ଦିନ ବିତୁଛି, ମନ୍ତ୍ରୀଙ୍କ ପ୍ରତି ବିପଦ ବଢ଼ୁଛି: ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜଧାନୀ ଅଚଳ କରିଦେଲା ବିଜେପି 

175

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା କର୍ମୀ ମୁହାଁମୁହିଁ । ଶିଶୁ ଭବନ ଛକରେ ବ୍ୟାରିକେଡ ଭାଙ୍ଗି ନବୀନ ନିବାସକୁ ଯିବା ପାଇଁ ଉଦ୍ୟମ ବେଳେ ଧସ୍ତାଧସ୍ତି । ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ଜୋରଦାର ବିକ୍ଷୋଭ କରିଛି ବିଜେପି । ଦିବ୍ୟ ଶଙ୍କରଙ୍କ ସରକାରୀ ବାସଭବନ ସମ୍ମୁଖରେ ବି ହୋଇଛି ପ୍ରଦର୍ଶନ । ଏପରିକି କିଛି ମହିଳା ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ନବୀନ ନିବାସ ନିକଟରେ ପହଂଚିଯାଇଥିଲେ । ଆଉ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ବିଜେପି ପତିଆରାର ଲଢେଇ ଲଢୁଛି ।

ଯେଉଁ ପୁଲିସର ଅବହେଳା ଏବଂ ନୀରବତା ପାଇଁ ସରକାର ଆଜି ବଦନାମ ହୋଇଛନ୍ତି, ସେହି ପୁଲିସ କିନ୍ତୁ ବିଜେପି କର୍ମୀଙ୍କୁ ଅଟକାଇବାକୁ ଏକ ଅଦଭୁତ ପୂର୍ବ ସୁରକ୍ଷାବଳୟ ତିଆରି କରିଥିଲା । ଶିଶୁଭବନ ଛକରୁ ନବୀନ ନିବାସ ଯାଏଁ ୨୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।

ସେପଟେ କଳାହାଣ୍ଡିରେ ମଧ୍ୟ ଏସପି ଅଫିସ ଘେରାଉ କରାଯିବା ବେଳେ ପୋଲିସ ସହ ସମ୍ନାସାମ୍ନି ହୋଇଛନ୍ତି ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତା । ପ୍ରସଙ୍ଗ ସମାନ- ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍କରଙ୍କୁ ହଟାଅ ।

ବିରୋଧୀ କଂଗ୍ରେସ ମଧ୍ୟ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବୀ କରିଛି । ପିସିସି ସଭାପତି କହିଛନ୍ତି, ଲଜ୍ଜାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇତିହାସ ସୃଷ୍ଟି କରନ୍ତୁ ।

ମମିତା ମେହେର୍ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା ସହଯୋଗୀଙ୍କୁ ଧରି ତଦନ୍ତ କରୁଛି ପୋଲିସ । ଗୋବିନ୍ଦ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସମ୍ପର୍କ ଦାଣ୍ଡରେ ପଡି ହାଟରେ ଗଡୁଛି । ତେଣୁ ତାଙ୍କ ବିରୋଧରେ ପୋଲିସ କେମିତି ତଦନ୍ତ କରିବ ତାହା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି । ହତ୍ୟାର ଅନ୍ତରାଳରେ ଥିବା ପ୍ରସଙ୍ଗ ଉପରେ ପୋଲିସ କେବେ ତଦନ୍ତ କରିବ ନା ମାମଲା ରଫାଦଫା ହୋଇଯିବ?