ଭାରତର ସବୁଠୁ ଧନୀ ରାଜନୈତିକ ଦଳ ବିଜେପି । କଂଗ୍ରେସକୁ ପଛରେ ଦ୍ୱିତୀୟରେ ରହିଲା ବିଏସପି

336

କନକ ବ୍ୟୁରୋ: ୨୦୧୯-୨୦ ଆର୍ଥିକ ବର୍ଷରେ କେଉଁ ପାର୍ଟିର୍ ପାଖରେ କେତେ ଧନ ରହିଛି, ରିପୋର୍ଟ ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର୍ । ଏହା ଦର୍ଶାଇଛି ଅନ୍ୟ ରାଜନୈତିକ ଦଳକୁ ବହୁ ପଛରେ ପକାଇ ଦେଇଛି ଭାରତୀୟ ଜନତା ଦଳ । ଟପ୍ ୩ଟି ଦଳର ଦୁଇ ବର୍ଷର ସମ୍ପତ୍ତି ଉପରେ ନଜର ପକାନ୍ତୁ –

ଦଳ                 ୨୦୧୯-୨୦            ୨୦୧୮-୧୯
ବିଜେପି            ୪,୮୪୭ କୋଟି          ୨୯୦୪ କୋଟି
ବିଏସପି             ୬୯୮ କୋଟି            ୭୩୮ କୋଟି
କଂଗ୍ରେସ            ୫୮୮ କୋଟି             ୯୨୮ କୋଟି

୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପି, ତା’ର ସମ୍ପତ୍ତି ୪ ହଜାର ୮୪୭ କୋଟି ଟଙ୍କା ବୋଲି ଦର୍ଶାଇଛି । ବର୍ଷକ ପୂର୍ବରୁ ଦଳର ସମ୍ପତ୍ତି ଥିଲା ୨ ହଜାର ୯୦୪ କୋଟି ଟଙ୍କା । ଧନୀ ତାଲିକାରେ ଦ୍ୱିତୀୟରେ ଥିବା ବିଏସ୍ପି ପାଖରେ ରହିଛି ୬୯୮ କୋଟି ଟଙ୍କା । ବର୍ଷେ ତଳେ ଏହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିଲା । ଅର୍ଥାତ୍ ୨୦୧୮-୧୯ ଆର୍ଥିକ ବର୍ଷରେ ୭୩୮ କୋଟି ଟଙ୍କାର ସମ୍ପତ୍ତି ରହିଥିଲା । ସେହିପରି କଂଗ୍ରେସର ମଧ୍ୟ ସମ୍ପତ୍ତି ହ୍ରାସ ପାଇଛି । ୨୦୧୯-୨୦ରେ ଦଳ ପାଖରେ ୫୮୮ କୋଟି ଥିବା ବେଳେ ୨୦୧୮-୧୯ରେ କଂଗ୍ରେସ ପାଖରେ ଥିଲା ୯୨୮ କୋଟିର ସମ୍ପତ୍ତି ।

୨୦୧୯-୨୦ ଆର୍ଥିକ ବର୍ଷରେ ଆଞ୍ଚଳିକ ଦଳ ଭାବେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ସବୁଠୁ ଧନୀ । ଆଉ ବିଜେଡିର ସ୍ଥାନ ହେଉଛି ୮ ନମ୍ବର । ତେବେ ୨୦୧୮-୧୯ରେ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଥିଲା ।

ବିଜେଡିର ସମ୍ପତ୍ତି ଉପରେ ନଜର ପକାନ୍ତୁ 
ଦଳ            ୨୦୧୯-୨୦        ୨୦୧୮-୧୯
ବିଜେଡି        ୧୨୮ କୋଟି        ୨୩୨ କୋଟି

୨୦୧୯-୨୦ ଆର୍ଥିକ ବର୍ଷରେ ବିଜେଡିର ସମ୍ପତି ହେଉଛି ୧୨୮ କୋଟି ଟଙ୍କା । ସେଥିରୁ ଫିକ୍ସ ଡିପୋଜିଟ୍ ଓ ବ୍ୟାଙ୍କ ଜମା ହେଉଛି ୧୧୮ କୋଟି ଟଙ୍କା । ତେବେ ୨୦୨୮-୧୯ରେ ଦଳର ସମ୍ପତ୍ତିି ଥିଲା ୨୩୨ କୋଟି ଟଙ୍କା । ଅର୍ଥାତ୍ ପୂର୍ବ ବର୍ଷ ଅପେକ୍ଷା ହ୍ରାସ ପାଇଛି ବିଜେଡିର ସମ୍ପତ୍ତି । ପ୍ରତି ୫ ବର୍ଷରେ କମ୍ପାନୀ ଅଡିଟର ବଦଳାଇଥାନ୍ତି । ରାଜନୈତିକ ଦଳ ସେପରି କରିବା ଉଚିତ । ବିଜେପି ଓ କଂଗ୍ରେସ ସେପରି କରୁନାହାନ୍ତି । ଏଡିଆର୍ କହିଛି, ସିଏଜି ଦ୍ୱାରା ମନୋନୀତ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଦ୍ୱାରା ଅଡିଟ୍ କରାଗଲେ ଭଲ ହୁଅନ୍ତା । ଆଉ ମଧ୍ୟ ଏଡିଆର୍ ଦର୍ଶାଇଛି, ଦଳଗୁଡିକ ଆୟର ସଂପୂର୍ଣ୍ଣ ବିବରଣୀ ଦେଉନାହାନ୍ତି ଏବଂ ଆୟକର ବିଭାଗ ଦଳର ପାଣ୍ଠିକୁ ଭଲ ଭାବେ ଯାଞ୍ଚ କରୁନାହାନ୍ତି । ଫଳରେ ଏଥିରେ ସ୍ୱଚ୍ଛତା ଆସୁନାହିଁ ।