ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି: ମମିତା ହତ୍ୟା ମାମଲାରେ ଆଜି ବି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବ୍ରହ୍ମପୁରରେ ବିକ୍ଷୋଭ 

68

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଅକଳରେ ପକାଇଲା ଭଲି ଅନେକ ପ୍ରସଙ୍ଗ ବିଜେପି ହାତରେ ଲାଗିଛି, ହେଲେ ଏଭଲି ପ୍ରତିବାଦ ପୂର୍ବରୁ କ୍ୱଚିତ ଦେଖିବାକୁ ମିଳୁଥିଲା । ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଜେପିର କାର୍ଯ୍ୟଶୈଳୀକୁ ଦେଖିଲେ ଲାଗୁଛି, ଯେମିତି ସରକାରଙ୍କ ଉପରେ ବେଶ ଆକ୍ରମଣାତ୍ମକ ହୋଇପଡିଛି ଦଳ । ପ୍ରବଳ ବର୍ଷା ସତ୍ୱେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ହିଲପାଟଣାରୁ ବାହାରିଥିବା ବିକ୍ଷୋଭ ଶୋଭାଯାତ୍ରା ଏସପି ଅଫିସ ପାଖରେ ପହଞ୍ଚିଥିଲା ।

ପ୍ରଥମେ ପୋଲିସ ସହ ଧସ୍ତାଧସ୍ତି ଓ ପରେ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି ବିଜେପି କର୍ମୀ । ବ୍ୟାରିକେଡ୍ ଉଠାଇ ମଧ୍ୟ ଫୋପାଡିଛନ୍ତି । ଏହି ପ୍ରତିବାଦ ଆନ୍ଦୋଳନରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତ ୩ ଅଫିସର ଓ ୨ କନଷ୍ଟେବଳଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି କରାଯାଇଛି । ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପର୍କ ଥିବା ଅଭିଯୋଗ କରି ରାଜନୈତିକ ପ୍ରତିବାଦକୁ ଜୋରଦାର କରିଛି ବିଜେପି । ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମନ୍ତ୍ରୀଙ୍କ ଇସ୍ତଫା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦଳ ଦାବି କରୁଛି ।

ମମିତା ହତ୍ୟା ମାମଲାର ସରଜମିନ ଅନୁଧ୍ୟାନ ପାଇଁ ବଲାଙ୍ଗୀର ଯାଇଛନ୍ତି ବିଜେପିର ତିିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ । ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ମୋର୍ଚ୍ଚା ସଭାପତି ଭି. ଶ୍ରୀନିବାସନ୍ ଏବଂ ବିଜେପି ବିଧାୟିକା ରୂପା ମିତ୍ର ଚୌଧୁରୀଙ୍କୁ ନେଇ ତିନି ଜଣିଆ କମିଟି ପ୍ରଥମେ ମମିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ପରେ ମହାଲିଙ୍ଗ ଯାଇ ଯେଉଁଠି ମମିତାଙ୍କ ଶବକୁ ପୋଡି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିଥିବା ଜଣାପଡିଛି । ପୁରା ଘଟଣାର ଅନୁଧ୍ୟାନ ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ । ଶନିବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ପୂର୍ବରୁ ପରୀ ଓ ମାହାଙ୍ଗା ମାମଲାରେ ବିଜେପି ଜୋରଦାର ଆନ୍ଦୋଳନ କରିଥିଲେ ମଧ୍ୟ ଏହା ଜାତୀୟ ରାଜନୀତିକୁ ଛୁଇଁପାରି ନଥିଲା । ହେଲେ ଆଗକୁ ପଂଚାୟତ ନିର୍ବାଚନ ଥିବରୁ ଦଳ ତାର ରଣନୀତିରେ ପରିବର୍ତନ କରିଥିବା ପରି ମନେ ହେଉଛି । ଆଗକୁ ୩ ଦିନ ଧରି ରାଜ୍ୟର ସମସ୍ତ ୬୨୫ ଥାନା ଘେରାଉ କରିବା ପାଇଁ ମଧ୍ୟ ବିଜେପି ଯୋଜନା କରିଛି  ।