ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି ପ୍ରସ୍ତୁତି ।

124

କନକ ବ୍ୟୁରୋ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସରଗରମ ରାଜନୀତି । ଏବେ ବିଜେପିର ଫୋକସରେ ରହିଛି ପୂର୍ବାଂଚଳ । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଭିତରୁ କେବଳ ଆସାମରେ ବିଜେପିର ସରକାର ଅଛି । ତେଣୁ ଏହି ନିର୍ବାଚନ ବିଜେପି ପାଇଁ ଯେତିକି ସମ୍ମାନର ପ୍ରଶ୍ନ ନୁହେଁ, ସେତିକି ଗଡ ଜିିତିବାର ଆହ୍ୱାନ । ସେପଟେ ଦିଦିଙ୍କ ଗଡରେ ଧସେଇ ପଶିବାକୁ ବିଜେପି ସବୁ ତାର ବଳ ଲଗାଇ ଦେଇଥିବା ବେଳେ ଆସାମରେ ପୁଣି ଶାସନକୁ ଫେରିବା ବିଜେପି ପାଇଁ ବଡ ଆହ୍ୱାନ ହୋଇ ରହିଛି । କାରଣ, ଏନଆରସି ଲାଗୁ ହେବା ପରେ ସେଠାରେ ଏହାକୁ ନେଇ ଘୋର ବିରୋଧ ଦେଖିବାକୁ ମିଳିଛି । ସେପଟେ ଦକ୍ଷିଣ ଭାରତର କର୍ଣ୍ଣାଟକ ପରେ ତାମିଲନାଡୁ, ପୁଡୁଚେରୀ ଓ କେରଳରେ ବିଜେପି ମର୍ଯ୍ୟାଦା ସମ୍ପନ୍ନ ସଂଖ୍ୟା ହାସଲ ପାଇଁ ଜୋରଦାର ଉଦ୍ୟମ କରିବ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କିଛି ଦିନ ପୂର୍ବରୁ ହିଁ ବିଜେପିକୁ କାଉଟଂର କରିବା ପାଇଁ ମମତା ବାନାର୍ଜୀ ନୂଆ ସ୍ଳୋଗାନ ଆରମ୍ଭ କରିସାରିଛନ୍ତି । ପଶ୍ଚିମବଙ୍ଗ ଚାହେଁ ନିଜ ଝିଅ ବୋଲି ଚାରିଆଡେ ପୋଷ୍ଟର ମାରିଥିଲା ଟିଏମସି । ଏଥିରେ ମମତାଙ୍କୁ ପଶ୍ଚିମବଙ୍ଗ ଝିଅ ଭାବେ ଚିତ୍ରଣ କରାଯାଇଥିଲା ।  ସେହିପରି ବିଜେପିକୁ ବାହାର ଲୋକ କହି ଟିଏମସି ପ୍ରଚାର ଜାରି କରିଛି । ଏବେ ବିଜେପି ମମତାଙ୍କ ଏହି ସ୍ଲୋଗାନକୁ ନୂଆ ପୋଷ୍ଟର କରି କାଉଁଟର କରିଛି । ବିେଜେପି ତାର ପୋଷ୍ଟରେ ମମତାଙ୍କୁ ପିଉସୀ ବୋଲି କହିଛି । ନିଜର ଦଳର ନେତ୍ରୀଙ୍କୁ ପଶ୍ଚିମବଙ୍ଗର ପ୍ରକୃତ ଝିଅଭାବେ ଚିତ୍ରଣ କରିଛି । ପୋଷ୍ଟରରେ କୁହାଯାଇଛି ପଶ୍ଚିମବଙ୍ଗ ଚାହେଁ ନିଜ ଝିଅ, ପିଉସୀ ନୁହେଁ । ପୋଷ୍ଟରରେ ୯ଜଣ ବିଜେପି ନେତ୍ରୀଙ୍କୁ ସ୍ଥାନ ଦିଆଯାଇଛି ।  ବିଜେପିର ପୋଷ୍ଟର ଉପରେ ପ୍ରଶ୍ନ କରିଛନ୍ତି ମମତା । ପୋଷ୍ଟରରେ ଥିବା ୯ଜଣଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ମମତା ।

ସେପଟେ ଆସନ୍ତା ନିର୍ବାଚନ ପାଇଁ ଦକ୍ଷିଣକୁ ଫୋକସ କରିଛି ଦେଶର ସର୍ବପୁରାତନ ଦଳ କଂଗ୍ରେସ । ତାମିଲନାଡୁ ଓ କେରଳରେ ଦଳର ପ୍ରଚାର ଜୋରଦାର କରାଯାଇଛି । ଦୁଇ ଦିନ ତଳେ କେରଳରେ ନିର୍ବାଚନୀ ପ୍ରଚାର କରିବା ପରେ ଶନିବାର ତାମିଲନାଡୁରେ ମାରାଥନ ପ୍ରଚାର କରିଛନ୍ତି ରାହୁଲ ଗାନ୍ଧୀ । ଏଥିସହ କେରଳରେ ପ୍ରଚାର କରିବା ସମୟରେ ଉତର ଦକ୍ଷିଣ କାର୍ଡ ଖେଳିଥିଲେ ରାହୁଲ ଗାନ୍ଧୀ । ଯାହାକୁ ସମାଲୋଚନା କରିଛି ବିଜେପି ।

ପୁଣି ଦକ୍ଷିଣରେ ନିଜର ଦବଦବା ଜାହିର କରିବାକୁ କଂଗ୍ରେସ ସବୁ ବଳ ଲଗାଇ ଦେଇଛି । ହେଲେ ଏବେ ଏବେ ପୁଡ୍ଡୁଚୋର ହାତରୁ ଖସିଥିବାରୁ ଆଶା ଆଶଙ୍କା ଭିତରେ ରହିଛି ଦଳ । ସେପଟେ ଏନଆରସି ଓ ସିଏଏ ପ୍ରସଙ୍ଗକୁ ନେଇ ଆସାମରେ ପୁଣି କ୍ଷମତାକୁ ଫେରିବା ବିଜେପି ପାଇଁ ବଡ ଚ୍ୟାଲେଂଜ ।