ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସାମରେ ଗୃହମନ୍ତ୍ରୀ ଅମିତ ଶାହା ଓ ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ ପ୍ରଚାର ।

111

କନକ ବ୍ୟୁରୋ: ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପଶ୍ଚିମବଙ୍ଗ ପରେ ଏବେ ଆସାମ, ତାମିଲନାଡୁ, ପୁଡୁଚେରୀକୁ ଫୋକସ କରିଛି ବିଜେପି । ପୁଡୁଚେରୀରେ କଂଗ୍ରେସ ସରକାରର ପତନ ହେଉ ହେଉ ଗୁରୁବାର ସେଠରେ ବିଜେପିର ସବୁଠାରୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଏକାଧିକ ପ୍ରକଳ୍ପର ଉଦଘାଟନ କରିବା ସହ ବିଶାଳ ଜନସଭାକୁ ସମ୍ଭୋଦ୍ଧିତ କରିଛନ୍ତି ମୋଦି ।

ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହା ଆସାମରେ ପହଁଚି ଶିବ ଆରାଧନାରୁ ଆରମ୍ଭ କରିଛନ୍ତି ପ୍ରଚାର । ନଗାଁବ ଗାଁରେ ନିର୍ମାଣ କରାଯାଉଥିବା ମହାମୃତ୍ୟୁଞ୍ଜୟ ମନ୍ଦିରର ପୂଜା କରିଥିଲେ । ତାପରେ ଏକାଧିକ ପ୍ରକଳ୍ପର ଉଦ୍ଦଘାଟନ କରିବା ସହ ଜନସଭାରେ କଂଗ୍ରେସ ଉପରେ ବର୍ଷିଥିଲେ । କହିଥିଲେ ଆସାମ ପାଇଁ ପୂର୍ବରୁ ଶାସନ କରି ଆସୁଥିବା ସରକାର କିଛି କରିନାହିଁ ।

ବିଜେପି ଫୋକସରେ ସବୁଠାରୁ ଆଗରେ ରହିଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ଦିନ ରାତିକୁ ଏକାଠି କରିଦେଇଛନ୍ତି ବିଜେପି ନେତା । ଡେରା ପକାଇଛନ୍ତି ରାଷ୍ଟ୍ରିୟ ସଭାପତିଙ୍କ ସମେତ ମାଳମାଳ ନେତା । ଗୁରୁବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବିଭିନ୍ନ ସ୍ଥାନରେ ସଭା କରିବା ସହ ପୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ଆଉ ପଚାରିଛନ୍ତି କାହିଁକି ଏତେ ଭୟଭୀତ ମମତା ।