ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ବିଜେପିର ହଙ୍ଗାମା । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଚାଲି ପାରିଲାନି ପ୍ରଶ୍ନକାଳ

120

କନକ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ହୋ ହାଲ୍ଲା, ନାରାବାଜି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ଗୃହ ଭିତରେ ଓ ଗୃହ ବାହାରେ ବ୍ୟାନର ଦେଖାଇ ବିଜେପି ସଦସ୍ୟଙ୍କ ପ୍ରତିବାଦ। ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି। ଏତଲା ତାଲିକାରେ ୧୩ ନମ୍ବର ମୁଦଲାରେ ମନ୍ତ୍ରୀଙ୍କ ନାଁ ଥିଲେ ବି ତଦନ୍ତ ପରିସରଭୁକ୍ତ କରାଯାଇନି। ଜେଏମଏଫସି ପୁନର୍ବାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଜଣେ ଆଇଆଇସି କିପରି ମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ କରିବେ ଏହା ସନ୍ଦେହ ଜନକ। ମନ୍ତ୍ରୀ ପଦବୀରେ ଥିବାରୁ ତାଙ୍କୁ ବହିଷ୍କାର କରାଯାଉ। ସେପଟେ ବିଜେଡି କହିଛି, ବିଜେପି ସବୁ ଅଧିବେଶନରେ ଦୁଇଟି କ୍ରିମିନାଲ କେସ ଗୃହକୁ ଆଣିଛନ୍ତି। ସେମାନେ ନିଜେ କୋର୍ଟ, ନିଜେ ପକ୍ଷ ,ନିଜେ ବିଚାରପତି ହୋଇଯାଉଛନ୍ତି। କାହାକୁ ଦୋଷୀ ସାବ୍ୟସ୍ତ କରିବେ ନିଜେ ନିଷ୍ପତି ନେଇଯାଉଛନ୍ତି।

ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଜେପି ତାତିଥିବା ବେଳେ, କଂଗ୍ରେସ କିନ୍ତୁ ମରୁଡିକୁ ମୁଦ୍ଦା କରିଥିଲା । ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ । ମରୁଡ଼ି ସ୍ଥିତିକୁ ନ ଲୁଚାଇ ଚାଷୀଙ୍କୁ ସରକାର ସହାୟତା ଦିଅନ୍ତୁ ବୋଲି ଦଳ ଦାବି କରିଥିଲା ।

ହଟ୍ଟଗୋଳ ଭିତରେ ବିଧାନସଭାରେ ୩ଟି ବିଲ ପାରିତ ହୋଇଛି । ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ । ଏହା ଦ୍ୱାରା ଯେଉଁ ମାନେ ବସ୍ତି ମାନଙ୍କରେ ଦୀର୍ଘ ଦିନ ଧରି ବାସ କରୁଥିବେ ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦେବେ ସରକାର । ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ ପାରିତ ହେବା ସହିତ ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ବିଲ । ଏହା ଦ୍ୱାର ଗୋଟିଏ ଅନୁଷ୍ଠାନ ଅଧିନକୁ ଆସିବ ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଶିକ୍ଷାନୁଷ୍ଠାନ । ଏହି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଗବେଷଣା ହୋଇ ପାରିବ ।