ମାହାଙ୍ଗା ଡବଲ ମର୍ଡର ଘଟଣା । ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ୪୮ ଘଂଟାର ମହଲତ ଦେଲା ବିଜେପି ।

85

କନକ ବ୍ୟୁରୋ : ହତ୍ୟା ପଛରେ ଯେତେବେଳେ ରାଜନୈତିକ ଶକ୍ତିର, ସଂପୃକ୍ତିର ଅଭିଯୋଗ ଆସେ, ତାକୁ ନେଇ ରାଜନୈତିକ ପ୍ରତିବାଦ କେମିତି ବା ନହେବ । ଠିକ୍ ସେଇୟା ହୋଇଛି, ଯେତେବେଳେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଦୁର୍ବୃତମାନେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡକୁ ବିରୋଧ କରି ମାହାଙ୍ଗାରେ ବିଶାଳ ଶୋଭାଯାତ୍ରା କରିଛି ବିଜେପି ।

କେବଳ ସେତିକି ନୁହେଁ, ରାଜ୍ୟ ବ୍ୟାପି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଦଳ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଘଟଣାକୁ ନେଇ କଂଗ୍ରେସ ବି ପ୍ରତିକ୍ରିୟା ରଖିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି-ଦୋଷୀଙ୍କୁ ମିଳିବ ଦଣ୍ଡ ।

ଏପଟେ କୂଳମଣୀ ବରାଳଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟର ଆଇନ୍ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ । ଏହାରି ଭିତରେ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ଏବଂ କେବଳ ପଂଚାୟତ ନିର୍ବାଚନରେ ୧୪ଟି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ । ଆଉ ବିଜେଡି ପାଲଟା ଆକ୍ରମଣ କରି କହିଛି-ବିଜେପି ଶାସିତ ରାଜ୍ୟରେ କ’ଣ ଘଟୁଛି ତାହା ସମସ୍ତଙ୍କୁ ଜଣା ।

ବଡ଼ କଥା ହେଉଛି, ପରୀ ହତ୍ୟାକାଣ୍ଡ ପରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳଙ୍କ ହତ୍ୟାକାଣ୍ଡ ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏକ ବଡ଼ ପ୍ରସଙ୍ଗ ମିଳିଯାଇଛି, ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ।