କନକ ବ୍ୟୁରୋ : ଆବାସ ଯୋଜନାକୁ ନେଇ ନବୀନ ସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦେଇଥିବା ଆବାସ ଯୋଜନା ସମ୍ପର୍କିତ ଚିଠିକୁ ଚିରି ଦେଇଥିଲେ ବିଜେପି ନେତା । ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବାକୁ ଉଦ୍ୟମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଆଜୋ ଏବଂ ଇନ୍ଦିରା ଆବାସ ଯୋଜନାକୁ ଇଆଜୋ ଲେଖି ବିଜୁ ବାବୁଙ୍କ ଫଟୋ ଲଗାଇ ଷ୍ଟିକର ମାରୁଛନ୍ତି । ଯୋଜନା ଚୋରିକୁ ବନ୍ଦ ନକଲେ ଆଗାମୀ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ପାଇଁ ଦେଇଥିବା ଚିଠିକୁ ସବୁ ବ୍ଲକ କାର୍ଯ୍ୟାଳୟ ଆଗରେ ଚିରିକି ପୋଡାଯିବ । ୨୯ରେ ରାଜ୍ୟର ସମସ୍ତ ଥାନାରେ ଷ୍ଟିକର ମାରୁଥିବା ଏଜେନ୍ସି ନାଁରେ ଏତଲା ଦିଆଯିବ ବୋଲି ରାଜ୍ୟ ବିଜେପି କହିଛି ।
ସେପଟେ ବିଜେଡି କହିଛ, ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ବିଜେପି ଏମିତି ପ୍ରସଙ୍ଗହୀନ ବକ୍ତବ୍ୟ ରଖିଥାଏ । ଅନ୍ୟପଟେ କଂଗ୍ରେସ ନେତା କହିଛନ୍ତି ଭାରତରେ ଆବାସ ଯୋଜନା କହିଲେ, ଲୋକେ ଇନ୍ଦିରା ଆବାସକୁ ବୁଝନ୍ତି । କଂଗ୍ରେସର ଆବାସ ଯୋଜନାକୁ ହାଇଜାକ କରାଯାଇଛି ।