କନକ ବ୍ୟୁରୋ: ଚାଉଳ କିଣା ପ୍ରସଙ୍ଗକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲା ବିଜେଡି । ସୋମବାର ପ୍ରେସମିଟ୍ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାର ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର କାହିଁକି ବଳକା ଚାଉଳ ନେଉନାହାଁନ୍ତି ସେହି କଥା ଉଠାଇଛନ୍ତିି । ତେବେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ କହିବା ଅନୁସାରେ, ୨୦୨୦-୨୧ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ସେ ଭିତରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ୍ ଟନ୍ ନିଜ ବ୍ୟବହାର ପାଇଁ ରଖିଛନ୍ତି । ତେବେ ବଳକା ୨୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ନେବା କଥା, ଯାହାକୁ କେନ୍ଦ୍ର ସରକାର ନେଇନଥିବା ବିଜେଡି ଅଭିଯୋଗ ଆଣିଛି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଳକା ଥିବା ଏହି ୨୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଭିତରୁ କେନ୍ଦ୍ର ସରକାର ୨ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଓ ୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ନେବାକୁ କହିଥିଲେ , ହେଲେ ଆଜି ଯାଏ ତାହା ସମ୍ଭବ ହେଲାନି । ଅନ୍ୟପଟେ ବାକି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଭାଗ୍ୟ ଭବିଷ୍ୟତ କଣ ତାହା ଏପର୍ଯ୍ୟନ୍ତ ଜଣାପଡିନି ବୋଲି ବିଜେଡି ମୁଖପାତ୍ର ପ୍ରେସମିଟରେ କହିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେହିପରି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଚାଷୀଙ୍କ ପାଇଁ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ତାଙ୍କ ଆଖିରୁ ଚାଷୀଙ୍କ ପାଇଁ ଟିକେ ବି ଲୁହ ବୋହୁନି । ହି ପ୍ରସଙ୍ଗରେ ବିଜେପି ନେତାଙ୍କ କଥା ଗୋଟେ, କାମ ଆଉ ଗୋଟେ । ଖାଲି ଭୋଟ୍ ଆସିଲେ ବିଜେପି ନେତାମାନେ ଚାଷୀଙ୍କ କଥା ମନେ ପକାଇଥାନ୍ତି, ହେଲେ ଭୋଟ୍ ଚାଲିଗଲେ ସେମାନେ ଚାଷୀଙ୍କ କଥାକୁ ଭୁଲିଯାଆନ୍ତି ବୋଲି ସେ କହିଛନ୍ତି ।