ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେପି ଦେଲା ବିଧାନସଭା ଟିକେଟ: ଦିଗପହଣ୍ଡିରେ ହେବ ଜୋରଦାର ଲଢେଇ

3,386

କନକ ବ୍ୟୁରୋ: ବିଜେଡିରୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ଭରସା କରିଛି ବିଜେପି । ବିଜେପି ତାଙ୍କୁ ଲୋକସଭା ନୁହେଁ ବରଂ ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ସିଦ୍ଧାନ୍ତଙ୍କୁ ଦଳ ଦିଗପହଣ୍ଡି ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୧୧୨ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅନେକ ନେତାଙ୍କ ନାଁ ରହିଛି । ଯେଉଁମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମଧ୍ୟ ରହିଛନ୍ତି ।

ସିଦ୍ଧାନ୍ତ ମହାପାତ୍ର ୨୦୦୯ରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ସେହି ବର୍ଷ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ ୨୦୧୪ରେ ବି ସେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ଦୁଇ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତଙ୍କୁ ଏଥର କିନ୍ତୁ ବିଜେପି ବିଧାୟକ ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି । ସେପଟେ ବିଜେଡି ପ୍ରାର୍ଥୀ ଭାବେ ସିଦ୍ଧାନ୍ତଙ୍କ ବିରୋଧରେ ଲଢିବେ ପୂର୍ବତନ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଲପ ପାତ୍ର ।

କୁହାଯାଉଛି ଦିଗପହଣ୍ଡି ଆସନରେ ଏଥର ଦମଦାର ଲେଢଇ ହେବ । କାରଣ ବିଜେଡି ସେଠାରୁ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ଜଣେ ବିଧାୟକଙ୍କ ପୁଅ ଭାବେ ବିପ୍ଲବଙ୍କ ଦିଗପହଣ୍ଡିରେ ଭଲ ସଂଗଠନ ସହ ଲୋକପ୍ରିୟତା ରହିଛି । ସେହିପରି ବିପ୍ଲବଙ୍କ ବିରୋଧରେ ବ୍ରହ୍ମପୁରରେ ଦୁଇ ଦୁଇଥର ସାଂସଦ ରହିଥିବା ସିଦ୍ଧାନ୍ତଙ୍କର ଦିଗପହଣ୍ଡିରେ ଭଲ ସଂଗଠନ ରହିଛି । ଆଉ ସିଦ୍ଧାନ୍ତଙ୍କର ମଧ୍ୟ ଓଡିଶାରେ ଭଲ ଲୋକପ୍ରିୟତା ରହିଛି । ତେଣୁ ବିଜେଡିର ଗଡ କୁହାଯାଉଥିବା ଦିଗପହଣ୍ଡିରେ ସିଦ୍ଧାନ୍ତଙ୍କୁ ଓହ୍ଲାଇ ବିଜେପି ବିଜେଡିକୁ ଜୋରଦାର ଟକ୍କର ଦେବ ।

ଗତ ବିଧାନସଭା ନିର୍ବାଚନରେ ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ବିଜେପି ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ପିଙ୍କି ୪୦ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଥିଲେ । ହେଲେ ଏଥର ସିଦ୍ଧାନ୍ତ ବିଜେଡିର ବିପ୍ଲବଙ୍କୁ ଜୋରଦାର ଟକ୍କକ ଦେଇପାରନ୍ତି ।