ବିଜେପିକୁ ପୁଣି ଟାର୍ଗେଟ କଲା ବିଜେଡି । କହିଲା, ଓଡିଶାର ପ୍ରଶଂସା ସହିପାରୁନି ବିଜେପି

225

କନକ ବ୍ୟୁରୋ: ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।

ବିଜେପି ନେତ୍ରୀଙ୍କୁ ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ତେବେ ଏଭଳି ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବକ୍ତବ୍ୟରୁ ଏହା ବାରିହୋଇ ପଡୁଛି ।

ସୁଶ୍ରୀ ସାହୁ କହିଛନ୍ତି ଯେ ଲେଖାଶ୍ରୀ ସାମନ୍ତସିଂହାର ପିପିଲି ଟିକେଟ ପାଇଁ ଆଶାୟୀ ଥିଲେ । ସେଥିରେ ସଫଳ ନହେବା ଓ ଦଳରେ ନିଜର ପ୍ରାସଙ୍ଗିତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ବକ୍ତବ୍ୟମାନ ଦେଉଛନ୍ତି । ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ପ୍ରାସଙ୍ଗିକ କରି ରଖିବା ତାଙ୍କର ମୂଳ ଲକ୍ଷ୍ୟ ହୋଇଥିବାବେଳେ ଓଡିଶାବାସୀ କିନ୍ତୁ ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢା ବିବୃତ୍ତି ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।