ଥମୁନି ମନ୍ତ୍ରୀଙ୍କ ଇସ୍ତଫା ଦାବି । ଏସପି ଅଫିସ ଘେରାଉ କଲା ବିଜେପି । ବିଜେଡି କହିଲା, ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ ।

140

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ପ୍ରତିବାଦ ସ୍ୱରକୁ ଶାଣିତ କରିଛନ୍ତି ବିରୋଧୀ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ପୁରୀ, ଜଗତସିଂହପୁର ଓ କଳାହାଣ୍ଡି ଏସପି ଅଫିସ ଘେରାଉ କରିଛନ୍ତି ବିଜେପି କର୍ମୀ । ତା ସହିତ ମମିତାଙ୍କ ଗାଁରେ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି କହିଛନ୍ତି, ମମିତା ହତ୍ୟାକାଣ୍ଡ ଘଟଣା ବୋଧହୁଏ ଜାଣିନାହାନ୍ତି ମୁଖ୍ୟମନ୍ତ୍ରୀ, ନଚେତ ଏଭଳି ଚୁପ୍ ରୁହନ୍ତେ ନାହିଁ ।

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ବିଜେପି । ପୁରା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବିରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସପି ଅଫିସ ଘେରାଇ କରିଛନ୍ତି ବିଜେପି କର୍ମୀ ।  ପୁରୀରେ ଶହ ଶହ ବିଜେପି କର୍ମୀ ଶୋଭାଯାତ୍ରା କରିବା ସହ ଏସପି ଅଫିସ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ଜଗତସିଂହପୁରରେ ମଧ୍ୟ ଏସପି ଅଫିସ ଘେରାଉ କରିଛନ୍ତି ବିଜେପି କର୍ମୀ । ସେହିପରି ଖୋର୍ଦ୍ଧା , ବାଲେଶ୍ୱର, ଫୁଲବାଣୀ, କେନ୍ଦ୍ରାପଡାରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଖାଲି ସେତିକି ନୁହେଁ ମମିତା ମେହେରଙ୍କ ପରିବାରକୁ ଭେଟି ଫେରିବା ପରେ ସରକାରଙ୍କ କାର୍ଯ୍ୟ ଓ ତଦନ୍ତକୁ ନେଇ ଏକାଧିକ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରତିନିଧି ଦଳ । ତେବେ ବିରୋଧୀଙ୍କ ଅଭିଯୋଗ ଓ ପ୍ରତିବାଦକୁ ନେଇ ଜବାବ ରଖିଛି ବିଜେଡି । ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି, ସରକାର କୌଣସି କ୍ଷେତ୍ରରେ ସାଲିସ୍ କରିନାହାଁନ୍ତି । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ତାହା କରୁଛନ୍ତି ସରକାର । ନବୀନ ସରକାରଙ୍କ ଆଗରେ  କେବଳ ତିଷ୍ଠି ରହିବାକୁ ବିରୋଧୀ ତୁଛା ରାଜନୀତି କରୁଛନ୍ତି । ଅନ୍ୟପଟେ କଂଗ୍ରେସର ଏକ ଟିମ୍ ଆସନ୍ତାକାଲି ବଲାଙ୍ଗୀର ଗସ୍ତ କରିବ । ଓଡ଼ିଶା ପ୍ରଭାରୀ  ଏ. ଚେଲ୍ଲାକୁମାର ଓ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟୱାଲା ବଲାଙ୍ଗୀର ଯିବେ । ନରସିଂହ ମିଶ୍ରଙ୍କ ସହ ଦୁଇ ନେତା ମମିତାଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ସୂଚନା ମିଳିଛି ।