ବିକ୍ଷୋଭ ଭିତରେ ସରିଲା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ । କଳାପତାକା ପ୍ରଦର୍ଶନ ସହ ଜାରି ରହିଲା ବିଜେପି ଓ କଂଗ୍ରେସର ଆନ୍ଦୋଳନ ।

101

କନକ ବ୍ୟୁରୋ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସାଇ ବଡ ବାର୍ତ୍ତା ଦେବାକୁ ଶାସକ ଦଳ ପ୍ରୟାସ କରିଥିଲେ ବି, ବିରୋଧୀ ପଛ ଘୁଞ୍ଚା ଦେଇନାହାଁନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଖାଲି ସେତିକି ନୁହେଁ, ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଉପକୂଳରୁ ଉପାନ୍ତ, ବଲାଙ୍ଗୀରରୁ ବାଲେଶ୍ୱର, କଟକରୁ କଳାହାଣ୍ଡି ସବୁଠି ଜୋରଦାର ପ୍ରତିବାଦ କରିଛି ବିଜେପି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ କେଉଁଠି ଥାନା ଘେରାଉ କରାଯାଇଛି ତ ଆଉ କେଉଁଠି ବ୍ଲକ୍ ଅଫିସ ଘେରାଉ କରାଯାଇଛି ।

ସମ୍ବଲପୁରରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଶତାଧିକ ବିଜେପି କର୍ମୀ ଡିଆଇଜି ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀମାନେ ଡିଆଇଜି କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । କିନ୍ତୁ ଆନ୍ଦୋଳନକାରୀଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ସେମାନଙ୍କୁ ଅଟକାଇବା ପାଇଁ ପୋଲିସକୁ ପାଣି ମାଡ କରିବାକୁ ପଡିଥିଲା ।ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ଆହ୍ୱାନ ଦେଇ ଶୋଭାଯାତ୍ରା କରିଛି ଭୁବନେଶ୍ୱର ବିଜେପି । ଲୋୟର ପିଏମଜିରୁ ନବୀନ ନିବାସ ଯାଏ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇଛନ୍ତି ଶତାଧିକ କର୍ମୀ । ସେହିପରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ଭୁବନେଶ୍ୱର ଏୟାରପୋର୍ଟ ଛକ, ଶିଶୁଭବନ ଛକରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ।

ବିରୋଧୀଙ୍କ ରାଜ୍ୟବ୍ୟାପୀ ଦାବି ସତ୍ୱେ, ମନ୍ତ୍ରୀଙ୍କ ବିରୋଧରେ ସରକାର ଚୁପ ଥିବାରୁ ଏହି ପ୍ରସଙ୍ଗକୁ ଦିଲ୍ଲୀ ଦରବାରରେ ଉଠାଇବାକୁ ପ୍ରସ୍ତୁତ କରିଛି କଂଗ୍ରେସ । ୧୦ ତାରିଖରେ ଦିଲ୍ଲୀରେ ପ୍ରତିବାଦ କରିବ ଯୁବ କଂଗ୍ରେସ । ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହ ରାଜଭବନ ସମ୍ମୁଖରେ ଚଳାଇଥିବା ଅହୋରାତ୍ର ଧାରଣାକୁ ଶେଷ କରିଛି ଯୁବ କଂଗ୍ରେସ । ମମିତାଙ୍କ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ଦଳ । ଗୋଟିଏ ପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପଟେ ଶାସକ ମନ୍ତ୍ରୀଙ୍କୁ କ୍ଲିନ ଚିଟ୍ ଦେଇ ଗୋଟିଏ ପରେ ଗୋଟିଏ ବୈଠକ କରି ଚାଲିଛି । ଆଗାମୀ ଦିନରେ ବିରୋଧୀ ଓ ଶାସକ ଦଳର ଏହି ଲଢ଼େଇ ଆହୁରି ରୋଚକ ହେବ ।