କନକ ବ୍ୟୁରୋ: ସାରାଦେଶରେ ଯେତେବେଳେ ପରିବାର ରାଜନୀତିକୁ ନେଇ ଚର୍ଚ୍ଚା ଶୀର୍ଷରେ ରହିଛି, ସେତିକିବେଳେ ସାମାନାକୁ ଆସିଛି ରାଜ୍ୟର ବରିଷ୍ଠ ନେତାମାନେ କେମିତି ପୁଅ ପାଇଁ ବାଟ ଫିଟାଉଛନ୍ତି । ପଞ୍ଚାୟତ ନିର୍ବାଚନରେ ଦମ ଦେଖାଇବାକୁ ଛାଡି ଦେଇଛନ୍ତି । ପୁଅମାନେ ମଧ୍ୟ ବାପାଙ୍କ ଗଡ ସମ୍ଭାଳିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । କାହିଁକି ନା, ସଫଳ ହେଲେ ଆଗାମୀ ୨୦୨୪ ନିର୍ବାଚନରେ ଟିକେଟ ମିଳିବ ବୋଲି ଆଶା ରଖିଛନ୍ତି ।
ରାଜନୈତିକ ବାଧ୍ୟ ବାଧକତା ହେଉ ଅବା ୨୦୨୪ ବେଳକୁ ଦଳ ପକ୍ଷରୁ ଟିକେଟ ମିଳିବ କି ନାହିଁ, ସେନେଇ ଦ୍ୱନ୍ଦ୍ୱରେ ଥିବା ନେତା ନିଜ ପୁଅ ମାନଙ୍କୁ ନେଇ ସ୍ୱପ୍ୱ ଦେଖିବା ଆରମ୍ଭ କରିଛନ୍ତି । ଆଉ ପଞ୍ଚାୟତ ନିର୍ବାଚନରେ ପତିଆରା ଦେଖାଇବା ପାଇଁ ମିଳିଥିବା ସୁଯୋଗକୁ ଭରପୁର ବ୍ୟବହାର କରୁଛନ୍ତି ।
- ସେମି-ଫାଇନାଲରେ ନେତାଙ୍କ ପୁଅ
- ପଞ୍ଚାୟତ ଜିତି ଦେଖାଇବେ ପାରିବାପଣିଆ
ଯଦି ପୁଅ ଅଧିକ ଭଲ ପ୍ରଦର୍ଶନ କରିବ, ତେବେ ୨୦୨୪ରେ ସୁଯୋଗ ମିଳିବ । ବାଚସ୍ପତି ସୂର୍ଯ୍ୟ ନରାୟଣ ପାତ୍ରଙ୍କ ଏହି ବିବୃତି ବୟାନ କରୁଛି ଯେ, ପୁଅ ବିପ୍ଲବ ପାତ୍ରଙ୍କ ପାଇଁ ରାଜନୈତିକ ରାସ୍ତା ତିଆରି କରିବାକୁ ସେ ଉଦ୍ୟମ ଆରମ୍ଭ କରିସାରିଛନ୍ତି । ବିପ୍ଳବ ମଧ୍ୟ ବାପାଙ୍କ ଗଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆରମ୍ଭ କରିଛନ୍ତି ଜୋରଦାର ପ୍ରଚାର । ତେବେ କେବଳ ବିପ୍ଳବ ନୁହନ୍ତି, ରାଜ୍ୟ ରାଜନୀତିର ଅନେକ ତୁଙ୍ଗ ନେତାଙ୍କ ସନ୍ତାନ ଏବେ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । କୁହାଯାଉଛି, ଏହି ନିର୍ବାଚନରେ ଯିଏ ନିଜର ପାରିବା ପଣିଆ ଜାହିର କରିବ, ଆଗାମୀ ସାଧାରଣ ନିର୍ବାଚନରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
କ୍ରମାଗତ ଭାବରେ ପାଞ୍ଚ ଥର ବିଧାୟିକା ରହି ଆସିଥିବା ଚିକିଟି ବିଧାୟିକା ଉଷା ଦେବୀଙ୍କ ପୁଅ ସ୍ୱରୂପ ଦେବ ମଧ୍ୟ ଏବେ ପଞ୍ଚାୟତ ନିର୍ବାଚନରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି । ଅସୁସ୍ଥତା ଯୋଗୁ ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବିଶ୍ରାମ ନେଉଥିବା ବେଳେ ତାଙ୍କ ଗଡ ଜଗିଛନ୍ତି ପୁଅ ପ୍ରୟାସକାନ୍ତି ସାମଲ । ସେହିପରି ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ବାଚନ ମଣ୍ଡଳୀରେ ପୁଅ ଅରୁଣଭ ସିଂହ ନିଜର ପତିଆରା ଦେଖାଇବାକୁ ଭରପୁର ଉଦ୍ୟମ ଜାରି ରଖିଛନ୍ତି । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ବାପାଙ୍କ ଆସନରୁ ରାଜନୀତିର ମଇଦାନ ସମ୍ଭାଳିବାକୁ ଅଣ୍ଟା ଭିଡିଛନ୍ତି ।
ରାଜନୀତିରେ ପରିବାରବାଦ କିଛି ନୂଆ କଥା ନୁହେଁ । ହେଲେ ୨୦୨୪ ପାଇଁ ଏବେଠାରୁ ନିଜ ପୁଅଙ୍କୁ ପ୍ରସ୍ତୁତ କରିବାକୁ ଲାଗି ପଡିଥିବା ନେତା ଦଳୀୟ କର୍ମୀଙ୍କ କଥା ଭୁଲି ଯାଆନ୍ତି, ଯେଉଁମାନେ ଦଳ ପାଇଁ ସମୟ ଦିଅନ୍ତି ଏବେ ରାଜନୀତିରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥାନ୍ତି ।