୨୦୧୯ ନିର୍ବାଚନ ପରେ ଉପ-ନିର୍ବାଚନରେ ବାଜି ମାରିଆସିଛି ବିଜେଡି । ଏବେ ପିପିଲିରେ ହେବ କ’ଣ?

121

କନକ ବ୍ୟୁରୋ: ୨୦୧୯ରେ ଓଡିଶାରେ ହୋଇଥିଲା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ବିଜୁ ଜନତା ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନବୀନ ପଟ୍ଟନାୟକ । ହେଲେ ସାଧାରଣ ନିର୍ବାଚନ ପରେ ଓଡିଶା ପୁଣି ଦେଖିସାରିଲାଣି ୪ଟି ଉପ-ନିର୍ବାଚନ । ଆଉ ସାଧାରଣ ନିର୍ବାଚନ ପରେ ପିପିଲିରେ ହୋଇଛି ଆଉ ଗୋଟିଏ ଉପ-ନିର୍ବାଚନ, ଯାହାର ଫଳାଫଳ ଆଜି ଆସିବାକୁ ଯାଉଛି ।

ଗତ ୪ଟି ନିର୍ବାଚନରେ ବାଜି ମାରିଛି ବିଜେଡି । ବିଜେପୁରଠାରୁ ଆରମ୍ଭ କରି ବାଲେଶ୍ୱର ପର୍ଯ୍ୟନ୍ତ ସବୁଠି ଶୁଭିଛି ଶଙ୍ଖନାଦ । ତେଣୁ ପିପିଲିରେ ବିଜେଡିର ଫଳାଫଳ କଣ ହେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର । ପିପିଲିକୁ ବିଜେଡିର ଅଭେଦ୍ୟ ଦୁର୍ଗ କୁହାଯାଉଥିବାରୁ, ଏଠାରେ ଦଳ ନିଜର ବିଜୟ ବାନା ଉଡାଉଛି, ନା ଅନ୍ୟ କେଉଁ ଦଳ ଏଠାରୁ ନୂଆ ବିଧାୟକ ପାଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ସାଧାରଣ ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ହିଞ୍ଜିଳିରୁ ଜିତିବା ପରେ ସେ ଏହି ଆସନ ଛାଡି ଦେଇଥିଲେ । ଏହାପରେ ଏହି ଆସନରେ ଉପ-ନିର୍ବାଚନ ହୋଇଥିଲା , ଆଉ ବିଜେଡି ଟିକେଟରୁ ଲଢି ରୀତା ସାହୁ ହୋଇଥିଲେ ବିଧାୟକ । ସେହିପରି  ପାଟକୁରା ନିର୍ବାଚନରେ ମଧ୍ୟ ବିଜୟ ବାନା ଉଡାଇଥିଲା ବିଜେଡି । ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ଏଠାରୁ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଏହି ଆସନରେ ବିଜେଡି, ବିଜେପିର ଟାଣୁଆ ନେତା ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଥିଲା ।

ଏହାପରେ ପରେ ପରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ଦେଖିଥିଲା ଓଡିଶା । ଆଉ ଦୁଇଟି ଯାକ ସ୍ଥାନରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ । ସାଧାରଣ ନିର୍ବାଚନ ପରେ ଗତ ୪ଟି ନିର୍ବାଚନରେ ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଥିବାରୁ , ପିପିଲିର ରେଜଲ୍ଟ କଣ ହେଉଛି ତାହା ଉପରେ ରହିଛି ସମସ୍ତଙ୍କର ନଜର ।