କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟକୁ ନେଇ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ମାନସମନ୍ଥନ । ଦୁଇ ଦଳ ମଧ୍ୟରେ ମେଂଟ ପାଇଁ ବୁଝାମଣା ଚୂଡାନ୍ତ ହୋଇଥିବା ମଧ୍ୟ କୁହାଯାଉଛି । ହେଲେ, ଏନେଇ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ । ଆଉ ମେଂଟ ନେଇ ଘୋଷଣା ନହେବା ପଛରେ ଆସନ ଭାଗବଂଟା କଥା ଛିଣ୍ଡିନଥିବା କୁହାଯାଉଛି । ଚର୍ଚ୍ଚା ହେଉଛି ଦୁଇ ଦଳର ନେତାଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ବୈଠକ ହୋଇଥିଲେ ବି କିଛି ଆସନକୁ ନେଇ ଅଙ୍କ ଛିଡ଼ୁନି ।
ବିଜେଡି-ବିଜେପି ମେଂଟକୁ ନେଇ ଦୁଇ ଦିନ ହେଲା ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ମେଂଟ୍ର ରୂପରେଖ କ’ଣ ହେବ ଏହା ଉପରେ ସମସ୍ତଙ୍କ ନଜର ରହିଛି । ବିଧିବଦ୍ଧ ଭାବେ ମେଂଟ କେବେ ଘୋଷଣା ହେବ, ଏନେଇ ମୁହଁ ଖୋଲୁନାହାନ୍ତି ନେତା । ଗୋଟିଏ ପଟେ କେଉଁ ସିଟ୍, କାହାକୁ ମିଳିବ, ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ । ଅନ୍ୟପଟେ ଲୋକଙ୍କ ମନରେ ଭ୍ରାନ୍ତି ସୃଷ୍ଟି କରୁଛି ନେତାଙ୍କ ବୟାନ ।
ଏପଟେ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ମେଂଟ ନେଇ ଭିନ୍ନ ଭିନ୍ନ ଆକଳନ ପ୍ରକାଶ ପାଇବାରେ ଲାଗିଛି । କୁହାଯାଉଛି, ଦୁଇ ଦଳ ମଧ୍ୟରେ ଆସନ ଭାଗବଂଟା ଅଙ୍କ ଛିଣ୍ଡୁନାହିଁ । କିଛି ନିର୍ଦ୍ଦିଷ୍ଟ ଆସନ ଉପରେ ଉଭୟ ଆଗ୍ରହ ଦେଖାଉଛନ୍ତି । ଚର୍ଚ୍ଚା ହେଉଛି -
ଭୁବନେଶ୍ୱର, ପୁରୀ, କନ୍ଧମାଳ, ଢେଙ୍କାନାଳକୁ ନେଇ ରହିଛି ଦ୍ୱନ୍ଦ୍ୱ!
୪ ଲୋକସଭା ଉପରେ ରହିଛି ଦୁଇ ଦଳର ନଜର
ବିଧାନସଭାରେ ୧୦୦ ଆସନ ଛାଡ଼ିବାକୁ ରାଜିନାହିଁ ବିଜେପି!
ସୂଚନା ଅନୁସାରେ ଦିଲ୍ଲୀରେ ଅଟକି ଥିବା ରାଜ୍ୟ ବିଜେପି ନେତାଙ୍କ ସହ କେନ୍ଦ୍ରୀୟ ନେତା ତୁହାକୁ ତୁହା ଆଲୋଚନା କରୁଥିବା ବେଳେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗତକାଲି ଦିଲ୍ଲୀ ଯାଇଥିଲେ । ଆଜି ଭୁବନେଶ୍ୱର ଫେରି ଆସିଛନ୍ତି, କିନ୍ତୁ ଦିଲ୍ଲୀରେ କାହାକୁ ଭେଟିଲେ, କ’ଣ ଆଲୋଚନା ହେଲା, ତାହା ସ୍ପଷ୍ଟ ହୋଇନାହିଁ ।
ଯଦିଓ ଲୋକସଭାରେ ବିଜେପି ଏବଂ ବିଧାନସଭାରେ ବିଜେଡି ବଡ଼ ଭାଇ ଭୂମିକା ତୁଲାଇବା ଏକପ୍ରକାର ନିଶ୍ଚିତ ହୋଇଛି, କିନ୍ତୁ କେଉଁ ଫର୍ମୁଲା ଆଧାରରେ ସିଟ୍ ଭାଗବଂଟା ହେବ, ଏଥିରେ ଚୂଡ଼ାନ୍ତ ସହମତି ପ୍ରକାଶ ପାଇନଥିବା କୁହାଯାଉଛି । ତେବେ ଲୋକସଭାରେ ବିଜେପି-ବିଜେଡି ୧୩:୮ କିମ୍ବା ୧୪:୭ ଆଧାରରେ ଆସନ ଭାଗବଂଟା ନେଇ ଚର୍ଚ୍ଚା ହେଉଛି
ବିଧାନସଭାରେ ୧୦୦ରୁ ଅଧିକ ଆସନ ବିଜେଡି ଦାବି କରୁଥିବା ସୂଚନା
କିନ୍ତୁ ଶହେରୁ ଅଧିକ ଆସନ ଛାଡ଼ିବାକୁ ନାରାଜ ବିଜେପି
ତେବେ ଦୁଇ ଦଳ ଭିତରେ ସହମତି ଆଣିବା ପାଇଁ ଶୀର୍ଷ ସ୍ତରରେ ଉଦ୍ୟମ ଜାରି ରହିଛି । ଦିନେ ଦୁଇ ଦିନ ମଧ୍ୟରେ ମେଂଟ ରୂପରେଖ ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/14-8.jpg)