ଖତ ଖାଉଛି ବିଜୁ ଗାଁ ଗାଡି: ପ୍ରଶାସନିକ ଉଦାସୀନତାରୁ ଫେଲ ମାରିଲା ଯୋଜନା

111

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗାଁକୁ ଗାଁ ଗମନାଗମନର ସୁବିଧା ଲକ୍ଷ୍ୟରେ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜୁ ଗାଁ ଗାଡି ଯୋଜନା । ଏହି ଯୋଜନାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ବିଜୁ ଗାଁ ଗାଡି ଗୁଡିକୁ ଲିଜ ସୂତ୍ରରେ ନେଇ ସ୍ୱାବଲମ୍ବି ହେବା ସହ ରୋଜଗାରକ୍ଷମ ହେବେ ବୋଲି ଆଶା ରଖିଥିଲେ ସରକାର । ହେଲେ ଉପଯୁକ୍ତ ରକ୍ଷଣା-ବେକ୍ଷଣା ଓ ପରିଚାଳନା ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଗାଡି ଏବେ ଖତ ଖାଉଛି ।

କେଉଁ ଗାଡିର ଯନ୍ତ୍ରାଂଶ ଅକାମୀ ହୋଇ ପଡିଛି । ପୁଣି କେଉଁ ଗାଡିରେ ଲଟା ବୁଦା ମାଡି ଗଲାଣି । ବସ ଭିତର ସିଟ ଚିରି ଯାଇଛି । ଗଜପତି ଜିଲ୍ଲା ମୋହନା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏମିତି ପଡି ରହି ଖତ ଖାଉଛି ବିଜୁ ଗାଁ ଗାଡି । ସରକାର କା ମାଲ ଦରିଆ ମେ ଡାଲ ଭଳି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି । ଦିନଥିଲା ଏହି ବିଜୁ ଗାଁ ଗାଡି ସାଧାରଣ ଲୋକଙ୍କ ସୁଲଭ ଦରରେ ଗମନା ଗମନ କରୁଥିଲେ ।

ଆଉ ଏହି ଗାଡିକୁ ଲିଜରେ ନେଇ ଲାଭବାନ ହେଉଥିଲେ ଆଦିବାସୀ ଅଂଚଳର ସ୍ୱୟଂ ସହାୟିକା ଗୋଷ୍ଠୀ । କିନ୍ତୁ ଏହି ଯୋଜନା ଆରମ୍ଭ ହେବାର ମାତ୍ର କିଛି ବର୍ଷ ପରେ ବିଜୁ ଗାଁ ଗାଡିର ଏପରି ଅବସ୍ଥା ହୋଇଯାଇଛି । ଏଥିପାଇଁ ଉଭୟ ପ୍ରଶାସନିକ ଅଧିକାରୀ ଓ ଠିକା ନେଇଥିବା ଏସ୍ଏଚ୍ଜିର ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

୨୦୧୪ ମସିହାରେ ମୋହନା ଠାରେ ଜିଲ୍ଲାର ବିଭିନ୍ନ ବ୍ଲକର ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ବିଜୁ ଗାଁ ଗାଡି ଚଳାଚଳ ଆରମ୍ଭ କରିଥିଲେ ରାଜ୍ୟ ସରକାର । କିନ୍ତୁ ସଠିକ୍ ପରିଚାଳନା ନହେବାରୁ ଅଧିକାଂଶ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷତି ସହିଥିବା କହୁଛନ୍ତି । ଅନ୍ୟପଟେ ଅଚଳ ବିଜୁ ଗାଁ ଗାଡିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଆଇଟିଡିଏ ଅଧିକାରୀ ।