ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସବୁଠୁ ବଡ଼ ଖୁଲାସା । ହତ୍ୟା ନୁହେଁ ଦୁର୍ଘଟଣା କହିଲା କ୍ରାଇମବ୍ରାଞ୍ଚ

225

କନକ ବ୍ୟୁରୋ: ସ୍ୱାମୀଙ୍କ ଦେହରେ ନିଆଁ ଲାଗିଥିଲା, ହେଲେ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିନଥିଲେ ବିଦ୍ୟାଭାରତୀ । ନିଆଁ ଲାଗିବା ଦୁର୍ଘଟଣା ଥିଲା, କିନ୍ତୁ ବିଦ୍ୟାଭାରତୀଙ୍କ ଅବହେଳା ଯୋଗୁଁ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଏପରି କିଛି ନିର୍ଯ୍ୟାସରେ ପହଁଚିଛି କ୍ରାଇମବ୍ରାଞ୍ଚ । ତେବେ ଏହି ମାମଲାରେ ବିଦ୍ୟାଭାରତୀଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୩୦୪-ଏ ଅର୍ଥାତ ଅବହେଳା ଯୋଗୁଁ ମୃତ୍ୟୁ ଏବଂ ଧାରା ୨୮୫ ଅର୍ଥାତ ନିଆଁ ଲାଗିଥିବା ବେଳେ ଅବହେଳା ପ୍ରଦର୍ଶନ କରିବା । ଏସବୁ ଦଫାରେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।

ଅନ୍ୟପଟେ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଆରମ୍ଭରୁ ବିବାଦ ଘେରକୁ ଆସିଥିବା ଡିଏଫଓଙ୍କୁ ଶେଷରେ କ୍ଲିନଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ । ସମସ୍ତ ସାକ୍ଷ୍ୟପ୍ରମାଣ, ପଲିଗ୍ରାଫ୍ ଟେଷ୍ଟ, ଏବଂ ସିଡିଏ ଯାଞ୍ଚରୁ କୌଣସି ପ୍ରମାଣ ପାଇନଥିଲା କ୍ରାଇମବ୍ରାଞ୍ଚ । ତେବେ ପରିବାର ଲୋକଙ୍କ ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦେଇଥିଲା ତଦନ୍ତକାରୀ ସଂସ୍ଥା । ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଇଥିଲେ ବି ଏ ନେଇ କୌଣସି ପ୍ରମାଣ ମିଳିନଥିଲା ବୋଲି କହିଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାମାତ୍ର ନିଜ କ୍ୱାଟରରେ ଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପୋଡି ହୋଇଯାଇଥିବା ସୌମ୍ୟରଞ୍ଜନଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଡିଏଫଓ ଓ ବିଦ୍ୟାଭାରତୀ ପ୍ରଥମରୁ ସନ୍ଦେହ ଘେରକୁ ଆସିଥିଲେ । ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିଲା ।