ଟିକସ ଠକେଇର ସବୁଠୁ ବଡ଼ ପ୍ରଘଟ । ସାରା ବିଶ୍ୱରେ ସୁନାମୀ ଆଣିଲା ପାଣ୍ଡୋରା ପେପର୍ସ

139

କନକ ବ୍ୟୁରୋ: ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ତଥା ପ୍ରତିଷ୍ଠିତ ବ୍ୟକ୍ତି ଉଲଂଘନ କରିିଚାଲିଛନ୍ତି ଆଇନ । ଭାରତରେ ଅର୍ଜିତ ଟଙ୍କାକୁ ବିଦେଶରେ ବିନିଯୋଗ କରୁଛନ୍ତି । ତାହା ପୁଣି ଲୁଚାଛପାରେ । ଯୁବବର୍ଗ ଯେଉଁମାନଙ୍କୁ ଆଦର୍ଶ ଭାବୁଛନ୍ତି , ସେହିଭଳି ବ୍ୟକ୍ତିତ୍ୱଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଅନେକଙ୍କ ପସନ୍ଦର ବ୍ୟକ୍ତି ବିଶେଷଙ୍କ କଳା ସାମ୍ରାଜ୍ୟର ଖୁଲାସା ହେବାପରେ ସମସ୍ତଙ୍କ ଆଖି ଖୋସି ହୋଇଯାଇଛି ।

ବିଶ୍ୱର ଧନିକ ଶ୍ରେଣୀର ଗୁପ୍ତ କାରବାର ଓ ଲୁଚାଇ ରଖିଥିବା ସମ୍ପତ୍ତିର ଏଭଳି ଏକ ପର୍ଦ୍ଦାଫାସ କରିଛି ପାଣ୍ଡୋରା ପେପର୍ସ । ଏହାକୁ ବିଶ୍ୱର ପ୍ରଭାବଶାଳୀ ଓ ବିତ୍ତଶାଳୀ ଲୋକଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାସ ବୋଲି କୁହାଯାଉଛି । ଗୋପନରେ ଧନ ରଖିିବା ଓ ବେଆଇନ ଉପାୟରେ ନିବେଶ ଭଳି କାମରେ ଲିପ୍ତ ବିଶ୍ୱର ଅନେକ ନେତା, ବ୍ୟବସାୟୀ ଓ ଧନୀ ବ୍ୟକ୍ତିଙ୍କ ତାଲିକା ପାଣ୍ଡୋରା ପେପର୍ସରେ ପ୍ରକାଶ ପାଇଛି ।

ସଚିନ ତେନ୍ଦୁଲକର : କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକର ଏବେ ବେଶ ଚର୍ଚ୍ଚାରେ । ଟିକସ ଫାଙ୍କିବା ପାଇଁ ବିଦେଶରେ ଟଙ୍କା ରଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ସଚ୍ଚିନଙ୍କ ନାଁ ବି ସାମ୍ନାକୁ ଆସିଛି । ସଚିନଙ୍କ ସମେତ ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ଓ ଶ୍ୱଶୁର ଆନନ୍ଦ ମେହତାଙ୍କର ନାଁ ବି ରହିଛି ।

ଅନୀଲ ଅମ୍ବାନୀ: ଭାରତର ପ୍ରତିଷ୍ଠିତ ଉଦ୍ୟୋଗପତି ଅନୀଲ ଅମ୍ବାନୀ ନିଜକୁ ଦେବାଳିଆ ଘୋଷଣା କରିଥିଲେ ବି ତାଙ୍କର ଓ ତାଙ୍କ ପ୍ରତିନିଧିଙ୍କର ବିଦେଶରେ ଅନେକ ପ୍ରତିଷ୍ଠାନ ରହିଛି । ସେହିପରି ନୀରବ ମୋଦୀ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଲୁଟି ଦେଶରୁ ଫେରାର ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀଙ୍କର ବି ଏହି ପେପର୍ସରେ ନାଁ ରହିଛି ।

ପାଣ୍ଡୋରା ପେପର୍ସରେ ୩୦୦ ଭାରତୀୟଙ୍କ ତାଲିକା ରହିଛି । ଅତି କମରେ ୬୦ ପ୍ରତିଷ୍ଠିତ ବ୍ୟକ୍ତି ତଥା କମ୍ପାନୀର ଅଫସର ହୋଲଡିଙ୍ଗସର ଯାଞ୍ଚ କରାଯାଉଛି । ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କର ପର୍ଦ୍ଦାଫାସ ହେବ ବୋଲି ଆକଳନ କରାଯାଉଛି । ତେବେ ନିଜ ସମ୍ପତି ଲୁଚାଇବା ସହ ଟିକସ ଫାଙ୍କିବାକୁ ବିଦେଶରେ ଟଙ୍କା ରଖୁଥିଲେ ଏଭଳି ପ୍ରତିଷ୍ଠିତ ବ୍ୟକ୍ତି । ତେବେ ଟିକସ ଫାଙ୍କୁଥିବା ଲୋକଙ୍କ ପାଇଁ କଡା ଆଇନ ହେଲେ ହିଁ ଏଭଳି କଳା କାରନାମାକୁ ରୋକିପାରିବା ବୋଲି କହିଛନ୍ତି ବିଶେଷଜ୍ଞ ।

ଜୋର୍ଡନର ରାଜା , ୟୁକ୍ରେନ , କେନିୟା , ଇକଭାଡୋରର ରାଷ୍ଟ୍ରପତି ଚେକ ରିପବ୍ଲିକର ପ୍ରଧାନମନ୍ତ୍ରୀଙ୍କର ନା ମଧ୍ୟ ଏଥିରେ ସ୍ଥାନ ପାଇଛି । ବିଟ୍ରେନର ପୂର୍ବ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେଏରଙ୍କ ନାଁ ପାଣ୍ଡୋରା ପେପର୍ସ ପ୍ରକାଶ କରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବହୁ ବ୍ୟକ୍ତିଙ୍କରନାଁ ଏହି ତାଲିକାରେ ରହିଛି ।